ଲୋଇସିଂହା ବିଧାୟକଙ୍କ ଗାଡି ଡ୍ରାଇଭର ଓ ପିଏସଓଙ୍କୁ ଆକ୍ରମଣ ଘଟଣା : ପ୍ରତିବାଦରେ ବିଜେପିର ଜାତୀୟ ରାଜପଥ ଅବରୋଧ, ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏବଂ ଡ୍ରାଇଭରଙ୍କୁ ଦୁଇ ଜଣ ଅସାମାଜିକ ଯୁବକ ଗତକାଲି ସ୍ପଷ୍ଟ ଦିବଲୋକରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ବିଜେପି ପକ୍ଷରୁ ଲୋଇସିଂହା ବସଷ୍ଟାଣ୍ଡ ଠାରେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପଟରେ ଶତାଧିକ ଯାନବାହନ ଅଟକି ରହିବା ସହିତ ଲୋକେ ହଇରାଣ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବିଧାୟକ ଶ୍ରୀ ମହାଲିଙ୍ଗ ବାଦିବାହାଲ ଗ୍ରାମରୁ ନଅଗାଁକୁ ତାଙ୍କ ପିଏସଓଙ୍କ ସହିତ ଫେରୁଥିବା ବେଳେ ବୁର୍ଡାଛକ ଠାରେ ଦୁଇଜଣ ଯୁବକ ବାଇକରେ ଆସି ବିଧାୟକଙ୍କ ଗାଡିକୁ ଅଟକାଇ ଥିଲେ । ଏହାକୁ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବିରୋଧ କରିବା ସହିତ ଗାଡିରୁ ଓହ୍ଲାଇ ଯୁବକ ଦ୍ୱୟଙ୍କୁ ବୁଝାଇଥିଲେ । ଏଥିରେ ଯୁବକ ମାନେ ଉତକ୍ଷିପ୍ତ ହୋଇ ପିଏସଓ ଶ୍ରୀ ବରିହା ଓ ଡ୍ରାଇଭର ଶ୍ରୀ ନାଗଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ତେବେ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତ ଯୁବକ ଦ୍ବୟ ବୁର୍ଡା ଗ୍ରାମର ବିକି ବାରିକ ଓ ହେମନ୍ତ ତାଣ୍ଡିକୁ ଗତକାଲି ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସକାଳ ୯ ଟାରୁ ୧୧ ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.