କଂଟାବାଂଜି ସହରରେ ଧୁମ୍‌ଧାମ୍‌ରେ ଶ୍ରୀ ରାମ ନବମୀ ପାଳିତ

  • ଶୋଭାଯାତ୍ରାରେ ସାମିଲ ହେଲେ ବୃନ୍ଦାବନର ସଦଗୁରୁ ଋଷିକେଶ ଜୀ, ହଜାର ହଜାର ସଂଖ୍ୟାରେ ମହିଳା ଏବଂ ପୁରୁଷ, ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କଂଟାବାଂଜି, (କେ.ପି.ଏନ୍‌.ଏସ୍‌) : କୋଭିଡ୧୯ ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କଂଟାବାଂଜି ସହରରେ ଶ୍ରୀ ରାମ ନବମୀ ରବିବାର ଦିନ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଦିନବେଳା ସହରର ଶ୍ରୀରାମେଶ୍ୱର ମଂଦିର(ଆଶ୍ରମପଡା), ଶ୍ରୀରାମ ମଂଦିର (ପୁରୁଣା ବସଷ୍ଟେଣ୍ଡ), ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗ୍ରାମର ଶହ ଶହ ସଂଖ୍ୟାରେ ବାଇକ ରାଲି ବାହାରି ନଗର ପରିକ୍ରମା କରାଯାଇଥିଲା । ସହରର ବିଭିନ୍ନ ମୁଖ୍ୟ ସଡକ ମଧ୍ୟରେ ଶାସ୍ତ୍ରୀ ଛକ, ଇଂଦିରା ଛକ, ଭଜନ ଛକ, ଆମ୍ବେଦକର ଛକ, ଝରବାହାଲିଆ ଛକ ଦେଇ ରାଲି ପରିକ୍ରମା ପରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଆସି ଅନ୍ନ ମହାପ୍ରସାଦ ସେବନ କରିଥିଲେ । ଅପରାହ୍ନ ୪ଟା ବେଳେ ପୁର୍ନବାର ବିଭିନ୍ନ ୨ଟି ମଂଦିର ଯଥା ଶ୍ରୀ ରାମ ମଂଦିର ( ବସଷ୍ଟାଣ୍ଡ), ଆଶ୍ରମପଡା ଶ୍ରୀ ରାମେଶ୍ୱର ମଂଦିରରୁ ହଜାର ହଜାର ସଂଖ୍ୟାରେ ମହିଳା, ପୁରୁଷ, ବାଳିକା ବାଳକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଉତ୍ତରପ୍ରଦେଶ ବୃନ୍ଦାବନରୁ ଆସିଥିବା ସଦଗୁରୁ ଋଷିକେଶ ଜୀ ମଧ୍ୟ ସ୍ୱତନ୍ତ୍ର ବିମାନରେ ଶୋଭାଯାତ୍ରାରେ ସାମିଲ ଥିଲେ । ଏପରିକି ନବ ନିର୍ବାଚିତ ନଗରପାଳ ବରିୟାମ ସିଂ ସାଲୁଜା ଏବଂ ତାଙ୍କ କାଉନସିଲର ସଭ୍ୟା/ସଭ୍ୟ ମଧ୍ୟ ସ୍ୱତନ୍ତ୍ର ଭାବେ ସାମିଲ ଥିଲେ । ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କଂଟାବାଂଜି ପୋଲିସ ତରଫରୁ ଏସ.ଡି.ପି.ଓ. ହୃଷିକେଶ ମେହେର, ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲଙ୍କ ନେତୃତ୍ୱରେ ସବ୍‌ ଇନ୍ସପେକ୍ଟର ପ୍ରଦିପ କୁମାର ଦୁରିଆ, ସୁନ୍ଦର ବେହେରା, ସମସ୍ତ ଅନ୍ୟ ସବ୍‌ ଇନ୍ସପେକ୍ଟର, ଏ.ଏସ.ଆଇ. ପୋଲିସ କମାଣ୍ଡୋ ପୋଲିସ, କନେଷ୍ଟବଲ, ଗୃହରକ୍ଷୀ ବାହିନୀ ଦାୟିତ୍ୱ ତୁଲାଇଥିବା ବେଳେ ଏକଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ନିଜର ଦାୟିତ୍ୱ ତୁଲାଇଛନ୍ତି । ଶାନ୍ତି ଶୃଙ୍ଖଳା ମଧ୍ୟରେ ଶ୍ରୀରାମ ନବମୀ ଏବଂ ଚୈତ୍ର ନବରାତ୍ର ପାଳିତ ହୋଇଯାଇଛି ।

Leave A Reply

Your email address will not be published.