jayashree

ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଗୁଣାତ୍ମକ ଶିକ୍ଷା ଅପରିହାର୍ଯ୍ୟ : ମହାସଚିବ ନିରଞ୍ଜନ ବିଶି

  • ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କିସ କ୍ୟାମ୍ପସ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ହେଡ଼ କ୍ୱାର୍ଟରରେ ନବ ନିର୍ମିତ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଶାଖା ସ୍କୁଲ କିସ ବଲାଙ୍ଗିର ନୂତନ ଶିକ୍ଷା ବର୍ଷ ୨୦୨୨ରେ ଶିକ୍ଷାଦାନ ଆରମ୍ଭ କରୁଛି । ବଲାଙ୍ଗିର କିସ ଆରମ୍ଭ ହେବା ଖବର ପାଇବା ପରେ ଆଦିବାସୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଏହି ଅବସରରେ ସଂଘ ତରଫରୁ ଏଡ୍‌ମିସନ୍‌ ପାଇଁ ପ୍ରସ୍ତୁତି ବୈଠକ କରାଯାଇଥିଲା । ଅତ୍ୟାଧୁନିକ ଶୈକ୍ଷିକ ପରିବେଶ ମଧ୍ୟରେ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ପାଇପାରିବେ । ଏଥି ସକାଶେ ଆଦିବାସୀ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରି କିସ କିଟ ପ୍ରତିଷ୍ଠାତା ଜନଜାତିର ଜନନାୟକ ଡ଼ ଅଚ୍ୟୁତ ସାମନ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ପୃଥିବୀର ପ୍ରଥମ କିସ ଆଦିବାସୀ ବିଶ୍ୱବିଦ୍ୟାଳୟରେ କେ.ଜି ରୁ ପି.ଜି.ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ଉଚ୍ଚ ଶିକ୍ଷା, ପାଠ୍ୟ ଉପକରଣ, ନିଃଶୁଳ୍କ ସୁଷମ ଖାଦ୍ୟ, ନିଃଶୁଳ୍କ ଆବାସିକ ବ୍ୟବସ୍ଥା କରିଥିବାରୁ କିସ କିଟ ପ୍ରତିଷ୍ଠାତା ଡ଼ ସାମନ୍ତଙ୍କ ଅତୁଳନୀୟ ଅବଦାନ ଏବଂ ଅଦ୍ଵିତୀୟ କାର୍ଯ୍ୟକୁ ଆଦିବାସୀମାନେ ଭୁୟସୀ ପ୍ରଶଂସା କରିଥିଲେ । ଓଡିଶା ସରକାରଙ୍କ ଏସ୍‌ଟି ଏସ୍‌ସି ବିଭାଗ ଦ୍ୱାରା ପରିଚାଳିତ ସେବାଶ୍ରମ, କନ୍ୟାଶ୍ରମ ଆଶ୍ରମ ସ୍କୁଲ ଗୁଡିକୁ ମଧ୍ୟ କିସ ଢାଞ୍ଚାରେ ପରିଚାଳନା କରିବାକୁ ଆଦିବାସୀମାନେ ଦାବୀ କରିଥିଲେ । ଶିକ୍ଷା କ୍ଷେତ୍ରରେ ଓ ସମାଜ ସେବା କ୍ଷେତ୍ରରେ ଡ଼ ସାମନ୍ତଙ୍କ ନିସ୍ଵାର୍ଥ ସେବା ପାଇଁ ନୋବେଲ ପୁରସ୍କାର ପାଇବା ଯୋଗ୍ୟ ବୋଲି ଆଦିବାସୀ ମାନେ ଦାବୀ କରିଥିଲେ । ବୈଠକରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସଭାପତି ଶ୍ୟାମସୁନ୍ଦର ଭୋଇ, ଆଦିବାସୀ ନାରୀ ସଭାପତି ବନଳତା ମାଝି, ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ଆଦିବାସୀ ନେତା ବଳଦେବ ଭୋଇ, ଦଶରଥ ଛତ୍ରିଆ, ସନ୍ତୋଷ ପୁଟା, ଦୁଃଖିଶ୍ୟାମ ଭୋଇ, ଘନଶ୍ୟାମ ପ୍ରଧାନୀ, ରାଜୀବ କୁଅଁର, ଗୋପାଳ ପ୍ରଧାନ, ଖେଳନ୍ତି ସମରଥ, ମାହେଶ୍ୱରୀ ମାଝି, ନିତ୍ୟାନନ୍ଦ ମାଝି, ନିରଞ୍ଜନ ମାଝି, ଅଚ୍ୟୁତ ଧରୁଆ, ନାରାୟଣ କିଶାନ, ଜଗନ୍ନାଥ ମାଝି, ଘାସିରାମ ମାଝି, ଘନ ଭୋଇ, ଲେକୃ ଧରୁଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଶତାଧିକ ଆଦିବାସୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.