ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମୟରେ ଗୁଡ଼ାଏ ସମସ୍ୟା ଲାଗି ରହିଥିବା ବେଳେ ତାକୁ ସମାଧାନ କରିବା ପାଇଁ ସରକାରୀ ସ୍ତରରେ ସବୁବେଳେ ଅପ୍ରାଣ ଉଦ୍ୟମ କରୁଥିବା ଦେଖାଯାଇଥାଏ ମାତ୍ର ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଅନେକ ଗୁଡିଏ ନୂତନ ସମସ୍ୟା ଏଠାରେ ମୁଣ୍ଡ ଟେକି ଥାଏ । ଯାହା ବିଭିନ୍ନ ସମୟରେ ସରକାରୀ ଦଳକୁ ସମସ୍ୟା ଘେରକୁ ଟାଣି ନେଉଛି । ତାହା ମୋବାଇଲ ଆଲୁଅରେ ଇଞ୍ଜେକ୍ସନ ଦେବା ହେଉ ବା ସାମାନ୍ୟ ଅବହେଳା ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ପଡିରହିବା ହେଉ । ଏପରି ଏକ ହୃଦୟ ବିଦାରକ ଘଟଣା ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଯାହା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପଦାରେ ପଡି ଦାଣ୍ଡରେ ଗଡୁଛି । ଶନିବାର ଦିନ ସ୍ଥାନୀୟ ସୋହେଲା ବ୍ଲକ ବାରୁପାଲି ଗ୍ରାମର ଅଶୋକ ପଟେଲ(୪୫) ପାରିବାରିକ କଳହ ଯୋଗୁଁ କୀଟନାଶକ ପିଇ ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମାତ୍ର ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କୀଟନାଶକ ପିଇ ମୃତ୍ୟୁବରଣ କରିଥିବାରୁ ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବାର କୌଣସି ବ୍ୟବସ୍ଥା ନଥିବାରୁ ତାଙ୍କୁ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମହାପ୍ରୟାଣ ଗାଡି ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେଲା ଅଚଳ ହୋଇ ପଡିରହିଥିବାରୁ ଘରୋଇ ଗାଡ଼ିରେ ଶବ ନେଇ ପୁରୁଣା ଚିକିତ୍ସାଲୟକୁ ଯିବା ପାଇଁ ବିଭାଗୀୟ କର୍ମଚାରୀ ପରାମର୍ଶ ଦେଇଥିଲେ ମାତ୍ର ପରିବାର ଲୋକେ ଘୋରଇ ଗାଡ଼ିରେ ଶବ ଆଣିବା ପାଇଁ ଅହେତୁକ ଟଙ୍କା ପଇଠ କରିବାକୁ ଅସମର୍ଥ ପ୍ରକାଶ କରିଥିଲେ । ତେଣୁ ସମୟ ଥାଇ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇ ହୋଇ ପାରିନଥିଲା ଓ ବାଧ୍ୟ ହୋଇ ରବିବାର ସକାଳ ୧୧ଟା ପର୍ଯ୍ୟନ୍ତ ଚିକିତ୍ସାଳୟ ପରିସରରେ ସେମିତି ଶବ ପଡିରହିଥିଲା । ଠିକ୍ ସେହିପରି ବିଜେପୁର ବ୍ଲକ ସାଲେପାଲି ଗ୍ରାମର ଗହଳ ରଏ(୬୦) ବୟସର ବାର୍ଦ୍ଧକ୍ୟ ହେତୁ ମୃତ୍ୟୁବରଣ କରିଥିବା ବେଳେ ପରିବାର ଲୋକେ ଅତ୍ୟନ୍ତ ଗରିବ ହୋଇଥିବାରୁ ମା’ର ଶବକୁ ପୁଅ ନର୍ସିଂଙ୍ଗ ରଏ ଘରକୁ ନେଇ ନପାରି ଚିକିତ୍ସାଳୟ ପାଖରେ ଶବ ସତ୍କାର କରିଦେବା ପାଇଁ ସ୍ଥାନୀୟ ସ୍ୱେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଯୋଗାଯୋଗ କରିଥିଲେ ଘଟଣା ସ୍ଥଳରେ ସଂକଳ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ ପହଞ୍ଚି ସମସ୍ତ ବିଷୟ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାକ୍ତର ଅରୁଣ ପାତ୍ରଙ୍କ ହସ୍ତକ୍ଷେପ ପରେ ଅଧଘଣ୍ଟାରେ ମହାପ୍ରୟାଣ ଗାଡି ପହଞ୍ଚିଥିଲା ଓ ଉଭୟ ଶବକୁ ତାଙ୍କର ଜନ୍ମ ମାଟି ବା ତାଙ୍କର ଗ୍ରାମକୁ ପହଞ୍ଚାଇ ଥିଲା । ଏଠାରେ ପ୍ରଶ୍ନବାଚି ସୃଷ୍ଟି କରୁଛି ଯେ ଯେଉଁ ମହାପ୍ରୟାଣ ଗାଡି ଦୀର୍ଘ ଏକ ମାସରୁ ଅଧିକ ହେଲା ଅଚଳ ହୋଇ ପଡିରହିଥିବା କହି ଘରୋଇ ଗାଡ଼ିରେ ଶବ ନେବା ଆଣିବା ପାଇଁ ପରାମର୍ଶ ଦେଉଥିବା କର୍ମଚାରୀ ମାନେ ସିଡିଏମ୍ଓଙ୍କ ହସ୍ତକ୍ଷେପ ପରେ ଅଧ ଘଣ୍ଟାରେ କିପରି ମହାପ୍ରୟାଣ ଗାଡି ଠିକ୍ ହୋଇ ପହଞ୍ଚି ଯାଇଥିଲା ତାର ଉତ୍ତର ଦେବାକୁ ମଧ୍ୟ ଅସମର୍ଥ ଅଟନ୍ତି । ଯଦି ଅଧଘଣ୍ଟାରେ ଗାଡିଟି ଠିକ ହୋଇ ପାରୁଛି ତା’ହେଲେ ତାକୁ କାହିଁକି ଠିକ୍ କରାନଯାଇ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି । ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ଗୁଡିଏ ଯୋଜନା କରିଥିବା ବେଳେ ଏପରି କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ ସହଜରେ ସରକାରୀ ଯୋଜନାକୁ ବିଶ୍ୱାସ କରି ପାରୁନାହାନ୍ତି ବୋଲି ଆଲୋଚନା ହେଉଛି ।
Prev Post
Next Post