ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମା’ ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମା’ ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ କରାଯିବ । ମା’ଙ୍କର ବାସନ୍ତିକ ପୂଜା ପାଇଁ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଥିବା ବେଳେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଏପ୍ରିଲ ୧ ଚୈତ୍ର ଆମାବାସ୍ୟା ତିଥିରେ ମା’ ସମଲେଇଙ୍କ ଚୈତ୍ର ନବରାତ୍ର ପୂଜା ପାଇଁ ଖଣ୍ଡାଧୁଆ ପର୍ବ ସହ କଳସ ଆବାହନ କରାଯିବ । ଏପ୍ରିଲ ୨ ତାରିଖ ଚୈତ୍ର ପ୍ରତିପଦା ଯୁକ୍ତ ଦ୍ୱିତିୟାରୁ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହେବ ଏବଂ ଏପ୍ରିଲ ୧୦ ତାରିଖ ଚୈତ୍ର ମହାନବମୀରେ ପୂର୍ଣ୍ଣାହୂତି ସହ ନବରାତ୍ର ପୂଜା ସମାପନ ହେବ । ସେହିପରି ଏପ୍ରିଲ ୧୬ ତାରିଖ ଚୈତ୍ର ପୂର୍ଣ୍ଣିମା ଅବସରରେ ଗ୍ରାମ୍ୟଦେବୀ ମା’ ସମଲେଇଙ୍କୁ ତ୍ରିବେଣୀ ସଙ୍ଗମରୁ ଅଣାଯାଇଥିବା ଗଙ୍ଗାଜଳରେ ଅଭିଷେକ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏ ଅବସରରେ ମା’ଙ୍କୁ ମହାଭୋଗ ଅର୍ପଣ କରାଯିବା ସହ ତାହା ଭକ୍ତମାନଙ୍କୁ ଅର୍ପଣ କରାଯିବ । ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେବ ମା’ଙ୍କ ଜଳାଭିଷେକ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା । ତେବେ ଚଳିତ ବର୍ଷ ମା’ଙ୍କ ଜଳାଭିଷେକ ଗଙ୍ଗାଜଳରେ କରାଯିବାକୁ ନିଷ୍ପତି ନିଆଯିବା ସହ ମନ୍ଦିର କମିଟି ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦିଆଯାଇଛି ।

Leave A Reply

Your email address will not be published.