କପସିପାଲି ଗାଁ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା କପସିପାଲି କୁଲୁତାପଡ଼ା ଗାଁ ନିକଟ ରାସ୍ତା କଡ଼ରୁ ଏକ ମୃତଦେହ ଶନିବାର ଖପ୍ରାଖୋଲ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତ୍‌ ଜଣକ ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ଲୁହାସିଂହ ପଞ୍ଚାୟତ ତେଙ୍ଗେରାପଥର ଗାଁର ମୁକ୍ତି ସାହୁ(୫୫) ବୋଲି ଜଣାପଡ଼ିଛି । ପାରିପାର୍ଶ୍ବିକ ସ୍ଥିତି ଏବଂ ପରିବାରର ଅଭିଯୋଗ ଅନୁସାରେ କେହି ନିର୍ମମ ଭାବରେ ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶୁକ୍ରବାର ସଂଧ୍ୟାରେ ଟେଙ୍ଗେରାପଥର ଗାଁର ଏକ ବରଯାତ୍ରୀ ଦଳ ଗୁଣ୍ଡୁରୁପାଲି ଗାଁକୁ ଆସିଥିବା ବେଳେ ବରଯାତ୍ରୀ ଦଳରେ ମୁକ୍ତି ସାହୁ ମଧ୍ୟ ଆସିଥିଲେ । ବାହାଘର ସାରି ସମସ୍ତେ ଫେରିଥିଲେ, ହେଲେ ମୁକ୍ତି ସାହୁ ଘରକୁ ଫେରିନଥିଲେ । ଶନିବାର ସକାଳୁ ଗୁଣ୍ଡୁରୁପାଲିରୁ କପସିପାଲି ରାସ୍ତା କୁଲୁତାପଡ଼ା ନିକଟସ୍ଥ ରାସ୍ତାକଡ଼ରେ ଏକ ମୃତଦେହ ପଡ଼ିଥିବା ଖବର ପାଇ ପାରିବାର ଲୋକ ଶବ ଚିହ୍ନଟ କରିଥିଲେ । ଏନେଇ ମୃତକଙ୍କ ପୁଅ ପ୍ରଶାନ୍ତ ସାହୁ ଖପ୍ରାଖୋଲ ଥାନାରେ ଅଭିଯୋଗ କଲାପରେ କେସ ନମ୍ବର ୪୬/୨୨ରେ ଏକ ମାମଲା ରୁଜୁ କରି ସାଇନ୍‌ଟିଫିକ୍‌ ଦଳ ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ଜଣକୁ ଅଟକ ରଖି ପଚରା ଉଚରା ଚଲାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.