ବୁଡ଼ି ଯିବ କି ବସ୍ ବ୍ୟବସାୟ : ୧୫୦ ବସ୍‌ରୁ ଚାଲିଛି ମାତ୍ର ୩୦, ବସ୍ ପିଛା ଦୈନିକ କ୍ଷତି ୨ ହଜାର, ୧ ହଜାର ଲୋକ ବେରୋଜଗାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଗଲା ୫ ମାସ ହେବ ବସ୍‌ ଚଳାଚଳ ହେଲାଣି । କିନ୍ତୁ ବଲାଙ୍ଗର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆହୁରି ୧୨୦ ବସ୍ ଚାଲି ପାରିନାହିଁ । ମୋଟ ୧୫୦ରୁ ଏବେ ଯେଉଁ ୩୦-୩୫ ବସ ଚଳାଚଳ କରୁଛି, ଗାଡ଼ି ମାଲିକଙ୍କ ଦୈନିକ ତେଲ ଖର୍ଚ୍ଚ ବି ଉଠିପାରୁ ନାହିଁ । ମାସିକ ଗୋଟିଏ ବସ୍ ପିଛା ୬୦,୦୦୦ଟଙ୍କାରୁ ଅଧିକ କ୍ଷତି ସହୁଛନ୍ତି ବସ୍ ମାଲିକ । ଗୋଟିଏ ସମୟରେ ବଲାଙ୍ଗିର-ବରଗଡ଼, ବଲାଙ୍ଗର-କଣ୍ଟାବାଞ୍ଜି, ବଲାଙ୍ଗର-ଟିଟିଲାଗଡ ରୁଟ୍‌ରେ ପ୍ରତି ୧୫ ମିନିଟରୁ ୨୦ ମିନିଟ ବ୍ୟବଧାନରେ ବସ୍ ଚଳାଚଳ କରୁଥିଲା । ଆଜି ସେହି ରୁଟ୍‌ ମାନଙ୍କରେ ୧ ଘଣ୍ଟାରୁ ୨ ଘଣ୍ଟା ବ୍ୟବଧାନରେ ବସ୍‌ ଚଳାଚଳ କରୁଥିଲେ ବି ଲୋକ ହେଉନାହାନ୍ତି । ଲୋକ‌ଙ୍କ ଭିତରେ କରୋନା ଭୟ ଜମାଟ ବା‌ନ୍ଧି ରହିଥିବା ଆଲୋଚନା ହେଉଛି । ଏଭଳି ସଂଗୀନ ସ୍ଥିତିରେ ବସ୍ ବ୍ୟବସାୟ କିଭଳି ଚାଲିବ, ସେ ନେଇ ଘରୋଇ ବସ୍ ମାଲିକମାନେ ଚିନ୍ତାରେ ପଡ଼ିଗଲେଣି । ପ୍ରତି ବସ ପିଛା ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଗଲା ଅକ୍ଟୋବରରୁ ଆସନ୍ତା ଜାନୁଆରୀ ଯାଏ ସମସ୍ତ ବସ୍‌ର ଟିକସ୍ ଛାଡ଼ କରିବାକୁ ଏବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଦାବୀ କଲାଣି ।

ସୂଚନା ଅନୁଯାୟୀ, କରୋନା ପ୍ରଭାବରେ ମାର୍ଚ୍ଚ ପରେ ବସ୍‌ ଚଳାଚଳ ବନ୍ଦ କରି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁଣି ମେ’ ୨୭ ତାରିଖରୁ ବସ ଚଳାଚଳ ଆରମ୍ଭ ହୋଇଥିଲା । କିନ୍ତୁ ଯେଉଁ ୫ ମାସ ବସ୍‌ ଚଳାଚଳ ହେଲାଣି, ଏଥିରେ ଘରୋଇ ବସ ମାଲିକଙ୍କ ସ୍ଥିତି ଆହୁରି ଶୋଚନୀୟ ହେବାରେ ଲାଗିଛି । ବଲାଙ୍ଗିର ଘରୋଇ ବସଷ୍ଟାଣ୍ଡରୁ ଦୈନିକ ୧୫୦ ବସ୍ ଜିଲ୍ଲାର ପ୍ରମୁଖ ସ୍ଥାନକୁ ଏବଂ ପ୍ରାୟ ପ୍ରତ୍ୟେକ ପଞ୍ଚାୟତ ଦେଇ ଚଳାଚଳ କରୁଥିଲା ଏବଂ ପଡ଼ୋଶୀ ଜିଲ୍ଲା ତଥା ଅନ୍ୟାନ୍ୟ ଜିଲ୍ଲା ସମେତ ରାଜଧାନୀକୁ ଚଳାଚଳ କରୁଥିଲା । ଏବେ ଦୈନିକ ୩୦ରୁ ୩୫ ଖଣ୍ଡ ଗାଡ଼ି ଚଳାଚଳ କରୁଥିବା ବେଳେ ସେହି ଗାଡ଼ିର ତେଲ ଖର୍ଚ୍ଚ ଭରଣା କରିବା ବି ସମ୍ଭବପର ହେଉନାହିଁ । ଅନ୍ୟ ଜିଲ୍ଲା ମାନଙ୍କରୁ ମଧ୍ୟ ଯେଉଁ ବସ ଗୁଡ଼ିକ ବଲାଙ୍ଗିରକୁ ଆସୁଥିଲା, ତାହା ବି ନିୟମିତ ଆସୁନାହିଁ ।

ମୋଟ ଉପରେ କହିବାକୁ ଗଲେ କରେ।ନା ଲକ୍ ଡାଉନ ପୂର୍ବରୁ ଯାତ୍ରୀମାନେ ବସ୍ ମାନଙ୍କୁ ଅପେକ୍ଷା କରୁଥିଲେ । କିନ୍ତୁ ବର୍ତ୍ତମାନ ବସଗୁଡ଼ିକ ଯାତ୍ରୀଙ୍କୁ ଅପେକ୍ଷା କରୁଛି । ଯାତ୍ରୀ ନ ହେଲେ ବସ ଗ‌ନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହିଁ । ବସକୁ ବାତିଲ କରାଯାଉଛି । ଜିଲ୍ଲା ବ୍ୟାପୀ ପ୍ରାୟ ୧୦୦୦ ବସ କର୍ମଚରୀ ବେରୋଜଗାର ହୋଇ ଯାଇଛନ୍ତି । ଜିଲ୍ଲା ବ୍ୟାପୀ ବସ୍‌ଷ୍ଟପ ଏବଂ ବସଷ୍ଟାଣ୍ଡ ଗୁଡ଼ିକ ଖାଁ ଖାଁ ହୋଇ ଯାଇଛି । ବସ୍ ଷ୍ଟାଣ୍ଡ ଓ ଷ୍ଟପମାନଙ୍କରେ ଚା ଦୋକାନ, ପାନ ଦୋକାନ, ହୋଟେଲ ଇତ୍ୟାଦି କରି ରୋଜଗାର କରୁଥିବା ଲୋକମାନେ ସଂପୂର୍ଣ୍ଣ ଭାବେ ବେରୋଜଗାର ହୋଇ ଯାଇଛନ୍ତି । ଏଭଳି ଅବସ୍ଥାରେ ବସ୍‌ ବ୍ୟବସାୟ ବନ୍ଦ ହୋଇଯିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ବସ୍‌ ମାଲିକମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Leave A Reply

Your email address will not be published.