ରୁଷ-ୟୁକ୍ରେନ ଯୁଦ୍ଧ ୨୩ ଦିନରେ : ବର୍ଷୁଛି ବୋମା, ଛାରଖାର ହେଉଛି ୟୁକ୍ରେନ, ପୋକମାଛି ଭଳି ଚାଲିଯାଉଛି ନିରୀହ ମାନବ ଜୀବନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ୨୩ ଦିନରେ ପହଂଚିଛି । ବର୍ଷୁଛି ବୋମା, ଛାରଖାର ହେଉଛି ୟୁକ୍ରେନ । ପୋକମାଛି ଭଳି ଚାଲିଯାଉଛି ନିରୀହ ମାନବ ଜୀବନ । ଆଇଜଜେର ନିର୍ଦ୍ଦେଶ ବି କାମ କଲାନି । ତୁହାକୁ ତୁହା ଆକ୍ରମଣ ଜାରି ରହିଛି । ୟୁକ୍ରେନ୍‌ର ଆଉ କୌଣସି ସହରୀ ଗାଁ ବୋମା ମିସାଇଲ୍‌ ମାଡ଼ ଠାରୁ ରକ୍ଷା ପାଇନାହିିଁ । ସାରା ୟୁକ୍ରେନ ଏବେ ଖଣ୍ଡହର ପାଲଟି ସାରିଛି । ତଥାପି ରାଜଧାନୀ କିଭ୍‌କୁ ଅକ୍ତିଆର କରିବା ପାଇଁ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । ୟୁକ୍ରେନର ଉତ୍ତର-ପୂର୍ବ ସହର ଖାର୍କିଭ ନିକଟସ୍ଥ ଏକ କମ୍ୟୁନିଟି ସେଣ୍ଟର୍ ଏବଂ ଏକ ସ୍କୁଲରେ ବୋମା ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରବଳ ବୋମା ବିସ୍ଫୋରଣରେ ଥରୁଛି ୟୁକ୍ରେନ ମାଟି । ନିରୀହ କୁନି କୁନି ପିଲା ଓ ମହିଳାମାନେ ବି ଯୁଦ୍ଧର ବଳୟରେ ଜୀବନ ହାରୁଛନ୍ତି । ୟୁକ୍ରେନ୍‌ରେ ଦୁର୍ବିସହ ହୋଇପଡ଼ିଛି ଜନଜୀବନ ।

ସାଧାରଣ ନାଗରିକଙ୍କ ଉପରେ ରୁଷର ଭୟଙ୍କର ଆକ୍ରମଣର ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରୁଷ ଏହା କ୍ଷମା ଯୋଗ୍ୟ ନୁହେଁ ବୋଲି କହିଛି । ଆମେରିକାର କୌଣସି ଅଧିକାରୀଙ୍କ ଦ୍ୱାରା ପୁଟିନଙ୍କ କାର୍ଯ୍ୟକଳାପକୁ ବାଇଡେନଙ୍କ ମନ୍ତବ୍ୟକୁ ରୁଷ ପକ୍ଷରୁ କଠୋର ନିନ୍ଦା କରାଯାଇଛି । ହ୍ୱାଇଟ ହାଉସରେ ବାଇଡେନ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ଭାବୁଛି ପୁଟିନ ଜଣେ ଯୁଦ୍ଧ ଅପରାଧୀ ।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନ ସୈନ୍ୟବାହିନୀର ଦୃଢ଼ ପ୍ରତିରୋଧ ଯୋଗୁଁ କିଭ୍‌ ଆଡ଼କୁ ରୁଷର ସୈନ୍ୟବାହିନୀର ଅଗ୍ରଗତି ବନ୍ଦ ହୋଇଯାଇଛି । ୟୁକ୍ରେନ ଯୁଦ୍ଧରେ ରୁଷ ସୈନ୍ୟବାହିନୀ ଗତ କିଛି ଦିନ ମଧ୍ୟରେ ସ୍ଥଳପଥ, ସମୁଦ୍ର ପଥ ତଥା ବାୟୁ ପଥରେ ସର୍ବନିମ୍ନ ଅଗ୍ରଗତି କରିଛନ୍ତି ଏବଂ ସେଠାରେ ବହୁ କ୍ଷତି ସହୁଛନ୍ତି ବୋଲି କୁହାଯାଇଛି ।

Leave A Reply

Your email address will not be published.