ଟଙ୍ଗିଆ ଜାମ୍‌ କମିଟି ତରଫରୁ ପ୍ରବଚନ କାର୍ଯ୍ୟକ୍ରମ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ ଶିବତଲା ଗ୍ରାମ କମିଟି ତରଫରୁ ପରିବେଶ ସୁରକ୍ଷା ଉପରେ ଟଙ୍ଗିଆ ଜାମ୍‌ କମିଟି ପକ୍ଷରୁ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ତରଫରୁ ବଲାଙ୍ଗିର ଟଙ୍ଗିଆ ଜାମ୍‌ କମିଟିକୁ ଆମନ୍ତ୍ରଣ କରାଯାଇଥିବା ବେଳେ ଗାଁ ମଝିରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂଧ୍ୟା ୭ଟାରୁ ୧୦ ଘଂଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଟଙ୍ଗିଆ ଜାମ୍‌ର ଆବାହକ ଗୋପାଳ ହୋତା ବେଦ ବେଦାନ୍ତ, ଉପନିଷଦ, ରାମୟଣ ଓ ଭାଗବତରେ ବର୍ଣ୍ଣିତ ଥିବା ବୃକ୍ଷଲତା ମାନଙ୍କ ସୃଷ୍ଟି ବୃତ୍ତାନ୍ତ, ଆବଶ୍ୟକତା, ଉପକାରିତା ଉପରେ ଗଭୀର କଥାବସ୍ତୁ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ସୃଷ୍ଟିରେ ଜନସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଲୋକେ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ କିପରି ପ୍ରକୃତିକୁ ଶୋଷଣ କରୁଛନ୍ତି ଏବଂ ଏହି ପ୍ରଭାବରେ ଜଂଗଲ ନଷ୍ଟ ହେବାରେ ଲାଗିଥିବା ଯୋଗୁଁ ପୃଥିବୀ ପୃଷ୍ଠ ଉତ୍ତପ୍ତ ହୋଇ ବରଫ ତରଳି ମହାପ୍ରଳୟ ଆସିବାର ସ୍ଥିତି ସଂପର୍କରେ ସେ ଆଲୋଚନା କରିଥିଲେ । ତେବେ ଏଭଳି ପରିସ୍ଥିତିରେ ସୃଷ୍ଟିକୁ ରକ୍ଷା କରିବା ପାଇଁ ସେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଆଗାମୀ ଦିନରେ ଜଂଗଲ ସୁରକ୍ଷା କରବା ସହ ଗଛଲତା ବଢ଼ାଇବା ପାଇଁ ଶପଥ ନେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସଭ୍ୟ ଧୃବଚରଣ ମେହେର, ଅଶୋକ ସାହୁ, ନରେନ୍ଦ୍ର ପଟେଲ, ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଶିବତଲାର ସରପଞ୍ଚଙ୍କ ସ୍ୱାମୀ ହେମସାଗର ମାଝୀ, ରବିଚନ୍ଦ୍ର କର୍ମୀ ତଥା ଜଗନ୍ନାଥ ମନ୍ଦିର କମିଟିର ସଭ୍ୟମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.