jayashree

ସେଞ୍ଚୁରିୟନ ବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗିତାରେ ବିଦ୍ୟାଳୟର ପରିସରରେ ଅନ୍‌ଲାଇନ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟମ ଓ ଉଦ୍‌ଯୋଗ ହିଁ ସଫଳତାର ଚାବିକାଠି । ସମ୍ପ୍ରତି ଜଗତୀକରଣର ଯୁଗରେ ଜଣେ ସଫଳ ଉଦ୍ୟୋକ୍ତା ହିଁ ସଫଳ ସମାଜର ମୂଳ ନିର୍ମାତା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ଉଦ୍ୟୋକ୍ତାର ସମସ୍ତ ଗୁଣଗୁଡିକ ବିକଶିତ କରିବା ଉଦ୍ଦେଶ୍ୟରେ ସେଞ୍ଚୁରିୟନ ବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର (ଏଫ.ଏମ.ଏସ.) ବିଭାଗର ମିଳିତ ସହଯୋଗିତାରେ ବିଦ୍ୟାଳୟର ପରିସରରେ ଏକ ଅନଲାଇନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ର, ଛାତ୍ରୀଙ୍କ ଭିତରେ ଦକ୍ଷତା, ନେତୃତ୍ୱ, ବିଶ୍ଲେଷଣାତ୍ମକ ପ୍ରବୃତ୍ତି ଓ ଉଦ୍ୟୋକ୍ତାର ସମସ୍ତ ଗୁଣଗୁଡିକୁ ବିକଶିତ କରାଇବା । ଏଇ ଅନ୍‌ଲାଇନ କର୍ମଶାଳା ପ୍ରିୟାଂଶ ଖେମକା (କନିଷ୍ଠ ପ୍ରତିନିଧି ଏଫ. ଏମ. ଏସ., ଦିଲ୍ଲୀ ବିଶ୍ୱବିଦ୍ୟାଳୟ)ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ସେ ଏହି କାର୍ଯ୍ୟର୍ୟ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଯେପରି ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା, ଜଣେ ସଫଳ ଉଦ୍ୟୋକ୍ତା ହେବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରିବା ଉଚିତ ତାକୁ ଶ୍ରୀ ଖେମକା ଅତି ନିଖୁଣ ଭାବରେ ବୁଝାଇଥିଲେ । ଏହି କର୍ମଶଳାରେ ବିଦ୍ୟାଳୟର ଶହେ ଜଣ ଛାତ୍ର, ଛାତ୍ରୀ (ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ) ସ୍ୱଇଛାରେ ଅଂଶ ଗ୍ରହଣ କରିଥିଲେ । ଛାତ୍ର, ଛାତ୍ରୀ ଓ ଶ୍ରୀ ଖେମକାଙ୍କ ମଧ୍ୟରେ ପ୍ରଶ୍ନୋତ୍ତରର ପର୍ୟ୍ୟାୟ ମଧ୍ୟ ହୋଇଥିଲା ଯାହା ଅଧିକ ସୂଚନାଧର୍ମୀ ଥିଲା । ଶେଷରେ ଅନୁଷ୍ଠାନର ପରିଚାଳନା ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ କର୍ମଶାଳାଟିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ମାଧ୍ୟମରେ ଛାତ୍ର, ଛାତ୍ରୀଙ୍କୁ ବୁଝାଇଥିଲେ । କାର୍ୟ୍ୟକ୍ରମଟିକୁ ଅନୁଷ୍ଠାନର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ(ଉଦଯୋଗ ଓ ଉଦ୍ୟୋକ୍ତା ବିଭାଗର ମୁଖ୍ୟ) ସଂଯୋଜନା କରିଥିଲେ । କର୍ମଶାଳାଟିରେ ଯୋଗାଯୋଗ ବିଭାଗର ସଫଳ ଉପଦେଷ୍ଟା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଓ ଭକ୍ତି ପଢାରିଆ ମଧ୍ୟ ଅଂଶ ଗ୍ରହଣ କରି କର୍ମଶାଳାଟିକୁ ସଫଳ କରାଇଥିଲେ । ପରିଶେଷରେ ଆଞ୍ଚଳିକ ନିର୍ଦେଶକ ଶ୍ରୀ ଷଡ଼ଙ୍ଗୀ ଏକାଦଶ କଳା ଶ୍ରେଣୀର ପାଞ୍ଚ ଜଣ ଛାତ୍ରୀ, ଅଙ୍କିତା ସୁବୁଦ୍ଧି, ମିତାଲି ମଧୁସ୍ମିତା, ପଲ୍ଲବୀ ମେହେର, ଉଷାରାଣୀ ସାହୁ ଓ ନନ୍ଦିନୀ ଶତପଥିଙ୍କୁ ବିଦ୍ୟାଳୟର ପରିସରରେ ଏକ ଛୋଟ କ୍ୟାଣ୍ଟିନର ସଫଳ ପରିଚାଳନା ପାଇଁ ପୁରସ୍କୃତ କରିଥିଲେ । ଯାହା ଛାତ୍ର, ଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲା । ଆଞ୍ଚଳିକ ନିର୍ଦେଶକଙ୍କର ଏପରି ଅଭିନବ ପ୍ରୟାସକୁ ସହରର ସବୁ ମହଲରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.