ସମାଜସେବୀ ଯଶୋବନ୍ତଙ୍କ ଟ୍ୱିଟ ପରେ ତିନି ଅସହାୟ ଅନାଥ ଭାଇ ଭଉଣୀ ପାଇଲେ ସରକାରୀ ସହାୟତା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଚଳା ପଂଚାୟତ ନୂଆଗୁଡା ଗାଁର ଜଗମୋହନ ନାଗଙ୍କ ପୁଅ ଲିଙ୍ଗରାଜ ନାଗଙ୍କ ଗତବର୍ଷ କରୋନା ସମୟରେ ଦେହାନ୍ତ ହୋଇଥିଲା । ବଡ ପୁଅର ଦେହାନ୍ତ ପରେ ମାନସିକତା ହରାଇ ତାଙ୍କ ମା’ ନବୀନା ନାଗଙ୍କ ମଧ୍ୟ ଅକ୍ଟୋବର ମାସରେ ଦେହାନ୍ତ ହୋଇଥିଲା । ବଡ ପୁଅ ଓ ସ୍ତ୍ରୀଙ୍କୁ ହରାଇଲା ପରେ ମାନସିକ ଚାପରେ ପଡି ଗତବର୍ଷ ଜଗମୋହନ ନାଗଙ୍କ ଦେହାନ୍ତ ହୋଇଥିଲା । ଲଗାତାର ଦୁଇ ବର୍ଷରେ ଘରର ତିନି ଜଣକୁ ହରାଇ ତିନି ଭାଇ ଭଉଣୀ ଅନାଥ ହୋଇଗଲେ । ପୂର୍ଣ୍ଣମୀ ନାଗ ସପ୍ତମରୁ ପାଠ ଛାଡି ଦେଇ ଘରର କାମ ଦେଖୁଥିଲେ । ଚମ୍ପା ନାଗ ମାଟ୍ରିକ ପାସ କରି କୌଣସି କଲେଜରେ ଆଡମିନସନ୍‌ ନ କରି ସେ ମଧ୍ୟ ଘରର କାମ ଦେଖୁଥିଲେ । ସବା ସାନ ପୁଅ ଷଷ୍ଠି ପ୍ରସାଦ ନାଗ କୋକସରାର ଏକ କଲେଜରେ +୨ କଳା ବିଭାଗରେ ଅଧ୍ୟୟନ କରୁଥିଲେ । କିନ୍ତୁ ପିତା ମାତାଙ୍କ ଦେହାନ୍ତ ପରେ ଆର୍ଥିକ ସ୍ଥିତି ଖରାପ ହେତୁ ସେ ଆଉ ଆଗକୁ ନପଢି ଘରେ ରହିଥିଲେ । ନିଜର ବୋଲି ଘର ଖଣ୍ଡେ କିମ୍ବା ଜମିବାଡ଼ି ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ଜାଣିବା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଏହି ସମସ୍ୟାକୁ ଟ୍ୱିଟର ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ଜୟପାଟଣା ବିଡ଼ିଓଙ୍କୁ ଜଣାଇ ସେମାନଙ୍କୁ ଥଇଥାନ କରିବାକୁ ନିବେଦନ କରିଥିଲେ । ଏହାକୁ ଗୁରୁତ୍ୱର ସହ ନେଇ ଡିସିପିଓଙ୍କ ନିର୍ଦେଶରେ ଏକ ପ୍ରତିନିଧି ଦଳ ପହଂଚି ସମସ୍ତ ସମସ୍ୟାର ଯାଞ୍ଚ କରିଥିଲେ । ପରେ ସେମାନଂକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଇ ଷଷ୍ଠିଙ୍କୁ ନେହେରୁ ସେବା କେନ୍ଦ୍ରରେ ରଖିବା ପାଇଁ କହିଥିଲେ । କିନ୍ତୁ ତାଙ୍କର ଭଉଣୀ ମନା କରିବାରୁ ଷଷ୍ଠି କୋକସରା କଲେଜରେ ପଢିବା ପାଇଁ ନିଷ୍ପତି ନିଆଗଲା ଓ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୨୫ଶହ ଟଙ୍କା ପ୍ରଦାନ କରିବାର ନିଷ୍ପତି ନିଆଗଲା । ଜୟପାଟଣା ବିଡ଼ିଓଙ୍କ ନିର୍ଦେଶରେ ଉଚ୍ଚଳା ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି ଓ କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ବଡ ଝିଅ ପୂର୍ଣ୍ଣମୀଙ୍କୁ ଗୋଟିଏ ସିଲେଇ ମେସିନ ପ୍ରଦାନ କରିଛନ୍ତି । ସେହିପରି ଏହି ଅସହାୟ ଭାଇ ଭଉଣୀମାନଙ୍କୁ ଏକ ଘର ଓ ଘର ଡିହ ଯୋଗାଇ ଦେବାକୁ ଜୟପାଟଣା ବିଡ଼ିଓଙ୍କୁ ନିର୍ଦେଶ ଦେଇଥିବା ଜିଲ୍ଲାପାଳ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସି ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.