୧୪ ଦିନରେ ମହାଯୁଦ୍ଧ : ନାଟୋ ଉପରେ ସିଧାସଳଖ ଅସନ୍ତୋଷ ପ୍ରକାଶ କଲେ ଜେଲେନସ୍କି

ନୂଆଦିଲ୍ଲୀ : ୧୪ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍‌ ମଧ୍ୟରେ ମହାଯୁଦ୍ଧ । ଏବେ ନାଟୋ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ମୁଁ ୟୁକ୍ରେନକୁ ନାଟୋର ସଦସ୍ୟ କରିବାକୁ ଚେଷ୍ଟା କରୁନାହିଁ । ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବରେ ପୂର୍ବରୁ ରୁଷ୍‌ କହିଛି ଯେ, ଯଦି ୟୁକ୍ରେନ ନାଟୋର ସଦସ୍ୟ ହେବ, ତେବେ ରୁଷ୍‌ର ସୁରକ୍ଷା ପ୍ରତି ବିପଦ ରହିଛି । ଏହି କାରଣରୁ ହିିଁ ଆକ୍ରମଣ କରିଥିଲା ରୁଷ ।

ଜେଲେନସ୍କି କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୁଝାମଣା କରିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି । ଜେଲେନସ୍କି ଆହୁରି କହିଛନ୍ତି ଯେ, ୟୁକ୍ରେନ୍‌କୁ ସାମିଲ୍‌ କରିବାକୁ ନାଟୋ ପ୍ରସ୍ତୁତ ନୁହେଁ । ନାଟୋ ରୁଷ୍‌କୁ ଭୟ କରୁଛି । ୟୁକ୍ରେନ୍‌କୁ ନାଟୋରେ ସାମିଲ୍‌ କଲେ ରୁଷ ସହ ନାଟୋର ବିବାଦ ବଢ଼ିବ ଏବଂ ରୁଷ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବ । ନାଟୋର ସଦସ୍ୟତା ବିଷୟରେ ଜେଲେନସ୍କି କହିଛନ୍ତି ଯେ, ମୁଁ କିଛି ଦେଶର ଭିକରେ ରାଷ୍ଟ୍ରପତି ହେବାକୁ ଚାହେଁ ନାହିଁ ।

ଏଠାରେ ସୂଚନାଯୋଗ୍ୟ ଯେ, ୟୁରୋପୀୟ ଦେଶଗୁଡ଼ିକୁ ସୋଭିଏତ୍ ୟୁନିଅନରୁ ରକ୍ଷା କରିବା ପାଇଁ ନାଟୋ ଗଠନ କରାଯାଇଥିଲା । ସେତେବେଳେ ରୁଷ ସୋଭିଏତ୍ ୟୁନିଅନ୍ ଥିଲା । ସେତେବେଳେ ସୋଭିଏତ୍ ୟୁନିଅନ୍ ବିଚ୍ଛିନ୍ନ ହୋଇନଥିଲା ଏବଂ ୟୁକ୍ରେନ୍ ମଧ୍ୟ ଏହାର ଏକ ଅଂଶ ଥିଲା । ଧୀରେ ଧୀରେ ନାଟୋ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଲା । ବ୍ୟକ୍ତିଗତ ସୁରକ୍ଷା ପାଇଁ ନାଟୋ ବିସ୍ତାରକୁ ରୁଷ ଏକ ଆହ୍ୱାନ ଭାବରେ ଦେଖିଲା । ରୁଷ ଆଶଂକା କରିଛି, ଯଦି ପାଶ୍ଚାତ୍ୟ ଦେଶମାନେ ରୁଷ୍‌ ସୀମାକୁ ଆସନ୍ତି, ତେବେ ଏହା ରୁଷ ପାଇଁ ବିପଦ ହୋଇପାରେ ।

ଆଜି ୧୪ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଯୁଦ୍ଧରେ ଲୁହ ଓ ଲୋହୁରେ ବୁଡ଼ି ସାରିଛି ୟୁକ୍ରେନ୍‌ । ପାଖାପାଖି ୨୦ ଲକ୍ଷ ସାଧାରଣ ୟୁକ୍ରେନୀ ନାଗରିକ ଦେଶ ଛାଡ଼ି ପଡେ଼ାଶୀ ଦେଶରେ ଆଶ୍ରୟ ନେଇଛନ୍ତି । ବୋମା, ମିସାଇଲ୍‌ ମାଡ଼ରେ ଛାର୍‌ଖାର୍‌ ହୋଇ ସାରିଲାଣି ୟୁକ୍ରେନ୍‌ । ଏବେ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ହାତେଇବା ପାଇଁ ଘନଘୋର ଆକ୍ରମଣ ଜାରି ରଖିଛି ରୁଷ । ନାଟୋ ଉପରେ ଭରସା କରି ୟୁକ୍ରେନ୍‌ ଯୁଦ୍ଧକୁ ସାମ୍ନା କରିଥିବା ବେଳେ ନାଟୋର ପ୍ରତ୍ୟକ୍ଷ ସହଯୋଗରୁ ବଂଚିତ ହୋଇଛି ୟୁକ୍ରେନ୍‌ ।

Leave A Reply

Your email address will not be published.