csstore

ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ଯତ୍ନରକ୍ଷା ନେଇ ବିଶେଷ ଆଲୋଚନା

ଏସ୍‌ପିସିଏର ପ୍ରଥମ କାର୍ଯ୍ୟକାରିଣୀରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏସ୍‌ପିସିଏର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ସଦରମହକୁମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପର ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଯତ୍ନ କିପରି ରକ୍ଷା କରାଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ପଶୁଙ୍କ ବହୁବିଧ ସମସ୍ୟାର ସମାଧାନ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ ଏସ୍‌ପିସିଏର ସଭ୍ୟ, ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ । ପଶୁପକ୍ଷୀ ଦୁର୍ଘଟଣାର ଶିକାର ହେଲେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଦରକାର ହେଉଥିବା ଆମ୍ବୁଲାନ୍ସ, ଉନ୍ନତ ଧରଣର ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ପରିପ୍ରେକ୍ଷୀରେ ସିକନ୍ଦରାବାଦ ସ୍ଥିତ ଜିଭିକେ, ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବିକାଶ, ଜଗତସିଂହପୁର ପିପୁଲ ଫର୍ ଆନିମାଲ୍ସ ଓ ବ୍ରହ୍ମପୁର ଲୋଚାପଡ଼ା ସ୍ଥିତ ଆଦର୍ଶ ସଂସ୍ଥା ପକ୍ଷରୁ ସେମାନଙ୍କର ସର୍ତ୍ତାବଳୀ ବୈଠକରେ ଉପସ୍ଥାପନ କରିଥିଲେ । ଉକ୍ତ ସର୍ତ୍ତାବଳୀକୁ ବିଶ୍ଳେଷଣ କରି ଯେଉଁ ସଂସ୍ଥା ଉଚିତ ସେବା ଯୋଗାଇବ ତାକୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ବୈଠକରେ ବିଭିନ୍ନ କମିଟି ଗଠନ କରି ନିର୍ବାହ କମିଟିରେ ଜିଲ୍ଲାପାଳ ଅଧ୍ୟକ୍ଷ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସାଧିକାରୀ, ଏସ୍‌ପିସିଏର ଆଜୀବନ ସଦସ୍ୟ ହରି ପ୍ରସାଦ ମାଲଣ ରହିଥିବା ବେଳେ ଆମ୍ବୁଲାନ୍ସ ସେବା କମିଟିରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଅଧ୍ୟକ୍ଷ ଥିବା ବେଳେ କମିଟିର ସଦସ୍ୟ ଭାବେ ଡେପୁଟି କଲେକ୍ଟର, ଏଡିଭିଓ, ଏସ୍‌ପିସିଏର ସଦସ୍ୟ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ରହିଥିବା ବେଳେ ପଶୁ ସହାୟକ କମିଟିରେ ଶ୍ରୀବତ୍ସ ଗୋଶାଳା ଓ ଶ୍ରୀକୃଷ୍ଣ ଗୋଶାଳାର ଦୁଇ ଜଣ ସଦସ୍ୟଙ୍କୁ ନିଆଯାଇଛି । ସେହିପରି ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆମ୍ବୁଲାନ୍ସ କମିଟିରେ ଏସ୍‌ପିସିଏର ସଦସ୍ୟ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବରାଜ ବେହେରା, ଜିଲ୍ଲା ସୂଚନା ଅଧିକାରୀ ରବି ନାରାୟଣ ବେହେରା, ଏସ୍‌ପିସିଏର ସଭ୍ୟ ବିଜୁ ଲେଙ୍କା, ଆଜୀବନ ସଦସ୍ୟ ହରି ପ୍ରସାଦ ମାଲଣ, ଡା ପ୍ରମୋଦ କୁମାର ପଟ୍ଟନାୟକଙ୍କ ସମେତ ପ୍ରାଣୀ ଚିକିତ୍ସା ବିଭାଗର ବିଭିନ୍ନ କର୍ମଚାରୀ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବୈଠକରେ ଉପସ୍ଥିତ ଥିବା ଅଧ୍ୟକ୍ଷ ତଥା ସମସ୍ତ ସଦସ୍ୟ ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁଙ୍କୁ ଦୁଇ ଦୁଇଟି ଗୁରୁତ୍ଵପୂର୍ଣ୍ଣ କମିଟିରେ ନେଇଥିବା ଯୋଗୁଁ ସେ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆଗାମୀ ଦିନରେ ପଶୁପକ୍ଷୀଙ୍କ ଉତ୍ସର୍ଗିକୃତ‌ ସେବା ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.