ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲା ଜଜ୍‌ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାପାଳ ଏକାଦଶ ଓ ଜିଲ୍ଲା ଜଜ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିଣି ଜିଲ୍ଲା ଜଜ୍‌ ଏକାଦଶ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୯୦ ରନ୍‌ କରିଥିଲେ । ୯୧ ରନ୍‌ର ଲକ୍ଷ୍ୟ ନେଇ ଜିଲ୍ଲାପାଳ ଏକାଦଶ ବ୍ୟାଟିଂ କରିଥିଲେ ଓ ସମସ୍ତ ୱିକେଟ ହରାଇ ୭୯ ରନ୍‌ କରିଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ଜିଲ୍ଲା ଜଜ୍‌ ଏକାଦଶ ବିଜୟୀ ହୋଇଥିବା ବେଳେ ଜିଲ୍ଲାପାଳ ଏକାଦଶ ରନ୍‌ର୍ସ ଅଫ ହୋଇଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାପାଳ ଏକାଦଶ ଟିମ୍‌ର ନେତୃତ୍ୱ ନେଇଥିବା ବେଳେ ଜିଲ୍ଲାଜଜ୍‌ ଲୋକନାଥ ମହାପାତ୍ର ଜିଲ୍ଲାଜଜ୍‌ ଏକାଦଶ ଟିମ୍‌ର ନେତୃତ୍ୱ ନେଇଥିଲେ । ଜିଲ୍ଲାପାଳ ଏକାଦଶ ଟିମ୍‌ରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡିଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ତହସିଲଦାର ମେଘୱନ ବାଗ୍‌, ବିଡିଓ ପ୍ରୀତମ କୁମାର ତନ୍ତ୍ରୀ, ସହକାରୀ ଜିଲ୍ଲାପାଳ ଗୁରେଶ୍ୱର ଭୋଇ ପ୍ରମୁଖ ଥିବା ବେଳେ ଜିଲ୍ଲା ଜଜ୍‌ ଏକାଦଶ ଟିମ୍‌ରେ ଭିଜିଲାନ୍ସ ଜଜ୍‌ ଅଜନ୍ତା ଷଢଙ୍ଗୀ, ସିଜଜେଏମ୍‌ ଜୀବନାନନ୍ଦ ପାଢୀ, ସବ୍‌ ଜଜ୍‌ ଜ୍ୟୋତିରଞ୍ଜନ ଦାସ, ରେଜିଷ୍ଟାର ଅମିତ୍‌ ବାରିକ, ଏସ୍‌ଡିଜେଏମ୍‌ ମନୋଜ କୁମାର ମହାନ୍ତି, ଜେଏମ୍‌ଏଫ୍‌ସି ପ୍ରକାଶ କର, ସିଭିଲ୍‌ ଜଜ୍‌ (ଏଲ୍‌ଆର୍‌) ଜନ୍ମେଜୟ ପଲେଇ ପ୍ରମୁଖ ରହିଥିଲେ । ମ୍ୟାଚ୍‌ ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲାଜଜ୍‌ ଏକାଦଶ ଟିମ୍‌ ଅତିଥିଙ୍କ ଠାରୁ ବିଜେତା ଟ୍ରଫି ଗ୍ରହଣ କରିଥିଲେ । ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରି ଜିଲ୍ଲାପାଳ ଚଞ୍ଚଳ ରାଣା ବେଷ୍ଟ ବ୍ୟାଟମ୍ୟାନ୍‌, ଉତ୍ତମ ବୋଲିଂ ପ୍ରଦର୍ଶନ କରି ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ମହାଜନ ବେଷ୍ଟ ବୋଲର, ଜିଲ୍ଲା ଜଜ୍‌ ଏକାଦଶ ଟିମ୍‌ର ଆକାଶ କୁମାର ତ୍ରିପାଠୀ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଟ୍ରଫି ହାସଲ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର ସହଯୋଗରେ ଆୟୋଜିତ ଆଜିର ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଜିଲ୍ଲାକ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଜରୀ, ସୂଚନା ଓ ଲୋକ ସଂପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଡିଏସ୍‌ଆର୍‌ ପଦ୍ମନାଭ ପୁରୋହିତ, ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ । ପୃଥୀରାଜ ମିଶ୍ର ଓ ହୃଦୟ ଶବର ମ୍ୟାଚ୍‌ରେ ଅମ୍ପେଆରିଂ କରିଥିବା ବେଳେ ଜଗପତି ନାଏକ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ । ଶେଷରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.