ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଞ୍ଚଳରେ ଶିକ୍ଷାର ବିକାଶ ନେଇ ଗଞ୍ଜାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ପ୍ରକୋଷ୍ଠରେ ପଠନ, ଆବୃତ୍ତି ଓ ଲିଖନ ନାମକ ଏକ ଆଲୋଚନା ଚକ୍ର ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧକାରୀ ଭାଗିରଥୀ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି । ଯେଉଁଥିରେ ସମସ୍ତ ସହଶିକ୍ଷା ଅଧିକାରୀ, କ୍ଲଷ୍ଟର ସଂଯୋଜକଙ୍କ ସହ ପ୍ରାୟ ତିରିଶ ଜଣ ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । କୋଭିଡ ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଅଛି ଏହା ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଅନୁଭବ କରିଛନ୍ତି । ଏଥିପାଇଁ ଓଡିଶା ସରକାର ଓ ଶିକ୍ଷା ବିଭାଗ ଦ୍ଵାରା ଅନଲାଇନ ପାଠପଢା, ୟୁ ଟ୍ୟୁବ, ଦୀକ୍ଷା, ମଧୁ ଆପ, ରେଡିଓ ପାଠଶାଳା, ଦୂରଦର୍ଶନ ଶିକ୍ଷା ଆଦି କାର୍ଯ୍ୟକ୍ରମ ସଫଳତାର ସହ କରାଯାଉଥିଲେ ମଧ୍ୟ ଆଞ୍ଚଳିକ ସ୍ତରରେ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଶିକ୍ଷାଅଧିକାରୀ ଶ୍ରୀ ବେହେରାଙ୍କ ମତରେ ଯେଉଁ ପିଲାମାନଙ୍କ ଭାଷା ଓ ସାହିତ୍ୟ ଜ୍ଞାନ ଅଧିକ ସେମାନେ ଅନ୍ୟାନ୍ୟ ଜ୍ଞାନ ଆହରଣ କରିବା ପାଇର୍ ସେତେ ସମର୍ଥ ବୋଲି ଭାବନ୍ତି । ତେଣୁ ପଠନ, ଆବୃତ୍ତି ଓ ଲିଖନକୁ ନେଇ ଶିଶୁ ଲେଖକ କାର୍ମଶାଳା ଆସନ୍ତା ୨୦୨୨ -୨୩ ଶିକ୍ଷା ବର୍ଷରେ ବ୍ଲକସ୍ତରୀୟ ଲାଗୁ ହେବାର ଚିନ୍ତା ନେଇ ଏହି କାର୍ଯ୍ୟକର୍ମର ଆୟୋଜନ କରାଯାଇଛି । ଏହି ଆଲୋଚନାଚକ୍ରରେ ସମଗ୍ର ଶିକ୍ଷାର ଶିକ୍ଷା ସଂଯୋଜକ ଡ. ସନ୍ତୋଷ କୁମାର ପଣ୍ଡା ଆଲୋଚନାରେ ଭାଗ ନେଇ ଏହିପରି ବ୍ଲକ ସ୍ତରରେ ବିଭିନ୍ନ ପ୍ରକାର ଶିକ୍ଷା ଦିଗରେ ଅଭିନବ ପ୍ରୟାସ ମାନର ଆବଶ୍ୟକତା ରହିଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପ୍ରମୋଦ କୁମାର ଓଝା, ଜନଜାତି ଆବାସିକ ବିଦ୍ୟାଳୟ ହୁମ୍ମାର ପ୍ରଧାନ ଶିକ୍ଷକ ଅଚ୍ୟୁତ ପାଢୀ, ରମ୍ଭା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା, ପାଲୁରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ବେହେରା, ପୂର୍ବତନ ସିଆର୍‌ସିସି ଲକ୍ଷ୍ମଣ ନାହାକ ପ୍ରମୁଖ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ରୂପରେଖ ଏବଂ ବ୍ୟବସ୍ଥା ଉପରେ ନିଜର ମତ ରଖିଥିଲେ । ଆଗାମୀ ବର୍ଷରେ ଏଥିପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ସାହିତ୍ୟକ ବ୍ୟକ୍ତି ଏବଂ ଭାଷା ଓ ସାହିତ୍ୟ ପ୍ରତିଷ୍ଠାନ ମାନଙ୍କ ଯୋଗଦେବାର ସମ୍ଭାବନା ରହିଅଛି । ବ୍ଲକର ବିଆର୍‌ସିସି ବିଜୟ ବେହେରା ସହ ଦାମୋଦର ପଣ୍ଡା, ରବୀନ୍ଦ୍ର କୁମାର ସେଠି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.