jayashree

ୟୁକ୍ରେନ୍‌ ମିଗ୍‌-୨୯ ରୁଷ୍‌ର ୨ ସୁଖୋଇ ଯୁଦ୍ଧ ବିମାନକୁ ଧ୍ୱଂସ କଲା : ପୋଲାଣ୍ଡରେ ରୁଷ-ୟୁକ୍ରେନର ଦ୍ୱିତୀୟ ରାଉଣ୍ଡ ଆଲୋଚନା

କିଭ୍‌ : ଆଜି ସପ୍ତମ ଦିନ ପାଇଁ ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ ଜାରି ରହିଛି । ଖାର୍କିଭ ସମେତ ଅନେକ ପ୍ରମୁଖ ସହରରେ ତୁହାକୁ ତୁହା ବାରମ୍ବାର ଆକ୍ରମଣ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଏହି ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିଲେ । ଆଜି ସକାଳେ ରୁଷ ସୈନ୍ୟ ଖାର୍କିଭ୍‌ର ଏକ ଡାକ୍ତରଖାନା ଉପରେ ମିସାଇଲ୍‌ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ । ଏଥି ସହିତ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବୀ କରିଛନ୍ତି ଯେ, ଯୁଦ୍ଧରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ ରୁଷ୍‌ ସୈନିକ ନିହତ ହୋଇଛନ୍ତି । ପୁଣି ଖେରସନଙ୍କୁ କାବୁ କରିବାକୁ ରୁଷ ଦାବୀ କରିଛି ।

ନ୍ୟୁଜ୍‌ ଏଜେନ୍ସି ଅନୁଯାୟୀ, ଯୁଦ୍ଧରେ ରୁଷ୍‌କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି । ୟୁକ୍ରେନର ରୁଷର ଦୁଇଟି ସୁଖୋଇ -୩୫ ଯୁଦ୍ଧ ବିମାନକୁ ଧ୍ୱଂସ କରି ଦେଇଛି । ଅନ୍ୟପକ୍ଷରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିଶ୍ଚିତ କରିଛନ୍ତି ଯେ, ପୋଲାଣ୍ଡରେ ରୁଷ ଏବଂ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଆଲୋଚନା ଆରମ୍ଭ ହେବାକୁ ଯାଉଛି । ସୋମବାର ପ୍ରଥମ ରାଉଣ୍ଡ ଶାନ୍ତି କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା ।

ବୁଧବାର ଦିନ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ ଅଙ୍ଗଭଙ୍ଗୀ ସହ ଇସାରା ଇସାରାରେ ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଇଛନ୍ତି । କହିଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ ଏବଂ ଏଥିରେ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ମଧ୍ୟ ହେବ । ଆମେ ଏହା ସ୍ପଷ୍ଟ କରିସାରିଛୁ ଯେ, ଆମେ ୟୁକ୍ରେନକୁ ଆଣବିକ ଅସ୍ତ୍ର ହାସଲ କରିବାକୁ ଦେବୁ ନାହିଁ । ଚାଲିଥିବା ଯୁଦ୍ଧ ପାଇଁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଦାୟୀ । ସେମାନେ ରୁଷକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଆରମ୍ଭରୁ ଆମେରିକାର ନିର୍ଦ୍ଦେଶରେ ୟୁକ୍ରେନ ନାଚୁଛି ।

Leave A Reply

Your email address will not be published.