କଣ୍ଟେନର୍‌ ଭିତରୁ ୮୦ ଲକ୍ଷ ଟଙ୍କାର ମଦ ଜବତ ସହ ୩ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଅରୁଣାଚଳ ପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ ହୋଇ ଆସୁଥିବା ବେଳେ କଣ୍ଟେନର୍‌ ଭିତରୁ ୮୦ ଲକ୍ଷ ଟଙ୍କାର ମଦ ଜବତ କରି ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । କଣ୍ଟେନର୍‌ର ଉପର ପ୍ଲେଟ୍କୁ ଗ୍ୟାସ୍‌ କଟରରେ କାଟି କଣ୍ଟେନର ଭିତରୁ ଶହ ଶହ ପେଟି ମଦ ବାହାର କରାଯାଇଥିଲା । ଏଥି ପାଇଁ କର୍ମଚାରୀମାନଙ୍କୁ ଦୀର୍ଘ ୯ ଘଣ୍ଟା ସମୟ ଲାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଚୋରା ମଦ ଚାଲାଣ ସଂପର୍କରେ ଖବର ପାଇ ଅବକାରୀ କମିଶନର ଆଶିଷ ସିଂହ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ସୂଚନା ଦେଇଥିଲେ । ଆର୍‌ଜେ-୩୨ଜିଏ-୮୨୦୫ ନମ୍ବରର ଏକ ୧୨ ଚକିଆ ଟାଟା ଟ୍ରକ୍‌ରେ ବୋଝେଇ ହୋଇଥିବା ଏକ ୱାଟର ଫିଲ୍ଟର କଂଟେନରରେ ଏହି ଆସାମ ବିଦେଶୀ ମଦ ଚାଲାଣ ହୋଇ ଆସୁଥିବା ସଂପର୍କରେ ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ କମିଶନର ସୂଚନା ଦେଇ ତାହା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ କଂଟେନରଟି ଢେଙ୍କାନାଳ ଭିତରକୁ ହିନ୍ଦୋଳ ପଟୁ ପ୍ରବେଶ କରିବା ବେଳେ ଗତକାଲି ରାତିରେ ହିନ୍ଦୋଳ ବ୍ଲକ୍‌ ବାଉଁଶ ପୋଖରୀଠାରେ ଜଗି ରହିଥିବା ମୋବାଇଲ୍ ସ୍କ୍ବାଡ୍ ଚଢ଼ାଉ କରି ତାହାକୁ ଜବତ କରିଥିଲେ । ଗିରଫ ଅଭିଯୁକ୍ତମାନେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୋଡିଡିହ ଗ୍ରାମର ଅଭିନାଶ ମହାରଣା (୩୨), ହରିୟାଣାର ଚହଟି ଓଲିଆ ଗ୍ରାମର ବିଜେନ୍ଦ୍ର (୩୨) ଏବଂ ଉଦୟସିଂହପୁରର ସତୀଶ ନନ୍ଦଲ(୬୨) ବୋଲି ଜଣାପଡିଛି । ସଂପୃକ୍ତ ବେଆଇନ ମଦ ଢେଙ୍କାନାଳର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସୁଥିବା ସନ୍ଦେହ କରାଯାଉଛି । ତେବେ ଗିରଫ ଅଭିଯୁକ୍ତମାନେ ଏହାକୁ ଅନୁଗୁଳ ନେଇ ଯାଉଥିଲେ ବୋଲି ବୟାନ ଦେଇଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି । ତେବେ ଜବତ ହୋଇଥିବା ମଦର ମୂଲ୍ୟ ପ୍ରାୟ ୮୦ ଲକ୍ଷ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.