ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଅନ୍ତର୍ଗତ ସୁନସୁନିଆ ମହାମାୟ କଲେଜ ନିକଟରେ ଗତକାଲି ଅପରାହ୍ନରେ ଏକ କାର୍‌ (ସିଜି୦୬ଜିଏଫ-୨୭୫୩) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମର ବସନ୍ତ ସାହୁଙ୍କ ଝିଅର ବାହାଘର ଉତ୍ସବରେ ଯୋଗଦେବାକୁ ଏମାନେ ଛତିଶଗଡ଼ରୁ ସୁଡ଼ାରୁ ଆସୁଥିଲେ । ତେବେ ଗତକାଲି ମହାଶିବରାତ୍ରି ଥିବାରୁ ସେମାନେ ଛିନ୍ଦେଇକେଲା ଯିବା ପୂର୍ବରୁ ପ୍ରଥମେ ନୃସିଂହନାଥ ପୀଠରେ ଦର୍ଶନ ସାରି ଅପରାହ୍ନରେ ପୋତ୍‌ରା ଡ୍ୟାମସ୍ଥିତ ଶୈବପୀଠକୁ ଦର୍ଶନ କରିବାକୁ ଯାଉଥିଲେ । ସେଠାରୁ ଫେରି ସେମାନେ ସଂଧ୍ୟା ସୁଦ୍ଧା ଛିନ୍ଦେଇକେଲାକୁ ଯାଇ ରାତିରେ ‌ସେଠାରେ ରହି ଆଜିର ବାହାଘର ଉତ୍ସବରେ ଯୋଗଦେଇଥାନ୍ତେ । ମାତ୍ର ପୋତ୍‌ରା ଯିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କାର୍‌ଟି ଗଛରେ ପିଟି ହେବା ପରେ ଗାଡ଼ିରେ ଥିବା ୬ ଜଣ ଚାପିହୋଇ ରହି ଯାଇଥିଲେ । ଖରିଆର ରୋଡ୍‌ ଜୋଙ୍କ ଥାନା ଅଧିକାରୀ କୈଳାସ ନାଏକ ଓ ନୂଆପଡ଼ା ଥାନା ଏସ୍‌ଆଇ ଗୁରୁଦେବ କର୍ମୀ, ନୂଆପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି ।

Leave A Reply

Your email address will not be published.