ଡେଲାଙ୍ଗ ୧୬ ନଂ. ଜିଲ୍ଲା ପରିଷଦ ଜୋନରେ କଡା ଟକ୍କର ମଧ୍ୟରେ ବିଜେଡିର ବାଜିମାତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହେବାପରେ ଫଳାଫଳ ଘୋଷଣା କରାଯାଇଛି । ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ୧୬ ନଂ. ଜିଲ୍ଲା ପରିଷଦ ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ୬ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ବେଳେ ବିଜେଡି ପ୍ରାର୍ଥୀ ତଥା ବିଦାୟୀ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ସମୁଦାୟ ୧୦,୩୪୯ ଖଣ୍ଡ ଭୋଟ ପାଇ ଏହି ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସ ପ୍ରାର୍ଥୀ ତଥା ଡେଲାଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ରବୀନ୍ଦ୍ର କୁମାର ଦାସଙ୍କୁ ୯୦୫୧ ଖଣ୍ଡ ଭୋଟ ମିଳିଛି । ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାସଙ୍କ ଠାରୁ ୧୨୯୮ ଖଣ୍ଡ ଅଧିକ ଭୋଟ ପାଇ ଏହି ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ଘୋଷିତ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ପ୍ରତି କଂଗ୍ରେସ ଦଳର ବିପର୍ଯ୍ୟୟ ସମୟରେ ଏହି ଜୋନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଦାସଙ୍କ ସହ ବିଜେଡି ପ୍ରାର୍ଥୀ ଶ୍ରୀ ସାହୁଙ୍କର କଡା ମୁକାବିଲା ହୋଇଥିଲା । ଭୋଟ ଗଣତିର ପ୍ରତି ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କ ସହ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡିଥିଲା । ଶେଷରେ ଏହି ଜିଲ୍ଲା ପରିଷଦ ଆସନଟି ବିଜେଡି ହାତେଇଥିବା ଜଣାପଡିଛି ।ସୂଚନାଯୋଗ୍ୟ ୨୦୧୭ ନିର୍ବାଚନରେ ମଧ୍ୟ ଏହି ଜୋନଟି ବିଜେଡି ଅକ୍ତିଆର କରିଥିଲା । ଏଠାରୁ ପୁଷ୍ପାଞ୍ଜଳି ସାମଲ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଶାନ୍ତିଶୃଙ୍ଖଳାର ସହ ଭୋଟଗଣତି କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ତହସିଲଦାର ନିବେଦିତା ପରିଡ଼ା ଓ ଥାନାଧିକାରୀ ଅନିଲ କୁମାର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.