
ବଡବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଧୀନସ୍ଥ କାଳୀମାଟିଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଗୁପ୍ଚୁପ୍ ଦୋକାନ ଉପରକୁ ଡମ୍ପର ମାଡ଼ିଯାଇ ନାବାଳକ ଗୁପଚୁପ ଦୋକାନୀ ସହ ଗୁପ୍ଚୁପ୍ ଖାଉଥିବା ଅନ୍ୟଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଗୁପ୍ଚୁପ୍ ବିକାଳୀ ଲକ୍ଷ୍ମଣ ଭଗତ ଓ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ନାବାଳକ କିସ୍ମତ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ନିକଟସ୍ଥ ଏକ ଖଣିରୁ ଡମ୍ପର (ନଂ. ଓଆର୍ ୦୯ ଏଚ ୬୦୭୩)ରେ ଖଣିଜ ଦ୍ରବ୍ୟ ବୋଝେଇ କରି ନୟାଗଡ଼ ରେଳ ସାଇଡ଼ିଂକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗୁପ୍ଚୁପ୍ ଦୋକାନ ଉପରକୁ ମାଡି ଯାଇଥିଲା । ସେଠାରେ ଗୁପ୍ଚୁପ୍ ଖାଉଥିବା ଜଣେ ନାବାଳକ ସହ ନାବାଳକ ଗୁପ୍ଚୁପ୍ ବିକାଳୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବୀରେ ରାସ୍ତାରୋକ କରିଥିବା ଜଣାପଡିଛି । ବାମେବାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ହେଁ ଅବରୋଧ ଜାରି ରହିଥିଲା ବୋଲି ଜଣାପଡିଛି ।