ଷ୍ଟ୍ରଙ୍ଗରୁମ୍‌ ସୁରକ୍ଷା ସଂପର୍କରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ । ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ ମଧ୍ୟରେ ରଖାଯାଉଛି । କିନ୍ତୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଦିଗରେ କେତେକ ଅଭିଯୋଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମତଦାନ ହୋଇଥିବା ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ । ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଅଧିକାରୀଙ୍କ ସହ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷଣ୍‌ ଦୃଷ୍ଟି ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଷ୍ଟ୍ରଙ୍ଗରୁମ୍‌ ହୋଇଥିବା କୋଠାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ଷ୍ଟ୍ରଙ୍ଗରୁମ୍‌ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ । ଭୋଟଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥୀମାନଙ୍କ ଦ୍ୱାରା ନିଯୁକ୍ତ କରଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍‌ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ । ଭୋଟଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉପରୋକ୍ତ ସମସ୍ତ ନିଷୋଧାଦେଶଗୁଡ଼ିକ ମଧ୍ୟ ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ କରାଯିବ । ଭୋଟଗଣତି କେନ୍ଦ୍ର ମଧ୍ୟକୁ ପାଣିବୋତଲ ନଦେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.