ଧଣ୍ଡାମୁଣ୍ଡା ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ : ମନରେଗା ଯୋଜନାରେ କାମ କରି ପାଉଣା ପାଇନଥିବା ଅଭିଯୋଗ ନେଇ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ଶ୍ରମିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମ ପଂଚାୟତ ମାଲପଡା ଗ୍ରାମର ଶ୍ରମିକମାନେ ମାଲପଡା ଗାଁର କନ୍ଦାଡୁଙ୍ଗୁରୀ ଜଙ୍ଗଲଠାରେ ୧୨ ଦିନ ଧରି ଷ୍ଟ୍ରେଜର ଟ୍ରେଞ୍ଚ କାମ କରିଥିଲେ । ତେବେ ସେମାନେ ୨୨/୧୨/୨୦୨୧ରେ କାମ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇନଥିବା ଅଭିଯୋଗରେ ଶ୍ରମିକମାନେ ଖପ୍ରାଖୋଲ ବ୍ଳକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ଶ୍ରମିକଙ୍କ କହିବା ଅନୁଯାୟୀ କନ୍ଦାଡୁଙ୍ଗୁରୀ ଜଙ୍ଗଲରେ ପ୍ରାୟ ୧୨ଦିନ କାମ କରିଛନ୍ତି । ହେଲେ ଆଜି ଯାଏଁ ତାଙ୍କ ପାଉଣା ମିଳିନାହିଁ । ଆଶ୍ଚର୍ୟ୍ୟର କଥା ଯେ, ଯେଉଁମାନେ କନ୍ଦାଡୁଙ୍ଗୁରୀ ଜଙ୍ଗଲର ଷ୍ଟ୍ରେଜର ଟ୍ରେଞ୍ଚ କାମ କରିବାକୁ ଯାଇ ନାହାନ୍ତି, ତାଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । କନ୍ଦାଡୁଙ୍ଗୁରୀ ଷ୍ଟ୍ରେଜର ଟ୍ରେଞ୍ଚ କାମରେ ମହାଦୁର୍ନୀତି ହୋଇଥିବା ସନ୍ଦେହ ସୃଷ୍ଟି ହେଉଛି । ଆଗାମୀ ଦିନରେ ଯଦି ସମାଧାନ ନହୁଏ ତେବେ ବ୍ଳକ ଆଗରେ ଧାରଣା ଦେବା ପାଇଁ ସ୍ଥିର କରିଛନ୍ତି ମାଲପଡା ଗାଁର ଶ୍ରମିକମାନେ । ଖପ୍ରାଖୋଲ ବ୍ଳକ ମୁଖ୍ୟଙ୍କ ଦ୍ୱାରସ୍ଥ ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ନୃପ ମଲ୍ଲିକ, ଶିବ ବରିହା, ରାମେଶ୍ୱର ବରିହା, ଦେବରାଜ କୁମ୍ଭାର, ଶ୍ରୀମୁଖ ପୋଡ଼, ହେମସଗାର ଜାଲ, ନିରଞ୍ଜନ ବରିହା, ରୁଦ୍ରମଣି ମଲ୍ଲିକ, ଟଙ୍କଧର ଭୁଏ, ଅମିନ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.