ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଇଓ, ପିଇଓ, ଜିଆର୍‌ଏସ, ଆର୍‌ଆଇ, ଏଆର୍‌ଆଇ, ସିଆର୍‌ସିସି, ସେକ୍ଟର ଅଧିକାରୀ ଓ ବ୍ଲକ କର୍ମଚାରୀ ପ୍ରମୁଖ ଯୋଗଦେଇ ନିର୍ବାଚନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ବିଭିନ୍ନ ପଦ୍ଧତି ବିଷୟରେ ଅବଗତ ହୋଇଥିଲେ । ଏଥିରେ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ତହସିଲଦାର ନିବେଦିତା ପରିଡ଼ା, ଏବିଡ଼ିଓ ପ୍ରଦୀପ୍ତ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, ସିଡିପିଓ ହାରାମଣି ନାୟକ, ଏବିଇଓ ଯୁଧିଷ୍ଠିର ପରିଡ଼ା, ଜିପିଇଓ ରତିକାନ୍ତ ସାହୁ, ମୁଖ୍ୟ କିରାଣୀ ରାମଚନ୍ଦ୍ର ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ, ମାନସ ମହାନ୍ତି, ଶୁଭ୍ରଜିତା ପାଣି, ଚିତ୍ରୋତ୍ପଳା ନାୟକ ପ୍ରମୁଖ ଯୋଗଦେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ବ୍ଲକ ପରିସରରୁ ଗାଡ଼ିରେ ମତଦାନ କେନ୍ଦ୍ରରେ ପହଞ୍ଚିବା, ମତଦାନ ଶେଷ ହେବା ପରେ ସେଠାରୁ ଭୋଟ ବାକ୍ସ ଆଣି ଷ୍ଟ୍ରଙ୍ଗରୁମରେ ସୁରକ୍ଷା ବଳୟ ମଧ୍ୟରେ ସାଇତି ରଖିବା, ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଗୁଡିକର ସଦୁପଯୋଗ କରିବା, ଆରକ୍ଷୀ କର୍ମଚାରୀ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଗାଡି ଚାଳକ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରଖି ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ନିର୍ବାଚନ କାର୍ଯ୍ୟ ତୁଲାଇବା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ । ନିର୍ବାଚନ କାର୍ଯ୍ୟରେ କୌଣସି ଅବହେଳା ପ୍ରଦର୍ଶନ କଲେ ଆଦୌ ବରଦାସ୍ତ କରାଯିବନି ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ସତର୍କ କରାଇଥିଲେ ।ଜିପିଇଓ ଶ୍ରୀ ସାହୁ ନିର୍ବାଚନ ସାମଗ୍ରୀ ବ୍ୟବହାର ଓ ପରିଚାଳନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରିଥିଲେ । ସୂଚନାଯୋଗ୍ୟ ମହିଳାମାନଙ୍କୁ ନିର୍ବାଚନ ପ୍ରତି ଆକର୍ଷିତ କରିବା ଲକ୍ଷ୍ୟ ନେଇ ଗଡ଼ମୋଟରୀ ପଞ୍ଚାୟତର ଆଂକୋଇ ୧୨ ନମ୍ବର ବୁଥକୁ ଗୋଲାପି ମତଦାନ କେନ୍ଦ୍ର ଭାବେ ଅବସ୍ଥାପିତ କରାଯାଇଛି । ଏଥିରେ କେବଳ ମହିଳା କର୍ମଚାରୀ ନିର୍ବାଚନ ପରିଚାଳନା କାର୍ଯ୍ୟ ତୁଲାଇବେ ବୋଲି ଏବିଡ଼ିଓ ଶ୍ରୀ ନାୟକ ସୂଚନା ଦେଇଥିଲେ । ବ୍ଳକରେ ସମୁଦାୟ ୨୯୧ଟି ମତଦାନ କେନ୍ଦ୍ର ପାଇଁ ୨୦ଟି ସେକ୍ଟର ଜରିଆରେ ନିର୍ବାଚନ ପରିଚାଳନା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ସମୁଦାୟ ୧୫ଶହ ବିଭିନ୍ନ ବର୍ଗର କର୍ମଚାରୀ ମୁତୟନ ହେବା ପାଇଁ ବନ୍ଦୋବସ୍ତ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।ଶେଷରେ ଦାୟିତ୍ୱପୂର୍ଣ୍ଣ ଭାବେ ସମସ୍ତ କାର୍ଯ୍ୟ ତୁଲାଇବାକୁ ନିର୍ବାଚନ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.