ଅସାଧୁ ଧାନ ବେପାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ : ଜିଲ୍ଲାର ମଣ୍ଡି ମାନଙ୍କରେ ପ୍ରକୃତ ଚାଷୀଙ୍କ ଦ୍ଵାରା ସୁବିଧାରେ ଧାନ ବିକ୍ରୟ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର କୃଷକମାନଙ୍କ ହିତ ଦୃଷ୍ଟିରୁ ସମସ୍ତ ମଣ୍ଡି ମାନଙ୍କରେ ସୁବିଧାରେ ଧାନ କ୍ରୟ ବିକ୍ରୟ କରିବା ପ୍ରକ୍ରିୟା ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଅସାଧୁ ବେପାରୀଙ୍କ ଜରିଆରେ ନିମ୍ନ ମାନର ଧାନ ଆସୁଥିବା ଅଭିଯୋଗ ଉପରେ ଜିଲ୍ଲାପାଳ ସୁବର୍ଣ୍ଣପୁର କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସତର୍କ କରିଛନ୍ତି । ବୀରମହାରାଜପୁର ତହସିଲ ଅନ୍ତର୍ଗତ ଉଫୁଲା ପ୍ୟାକ୍ସରେ ଅସାଧୁ ବ୍ୟବସାୟିଙ୍କ ଦ୍ୱାରା ଜମା ହେଉଥିବା ନିମ୍ନ ମାନର ଧାନ ଏବଂ ପ୍ରକୃତ ଚାଷୀ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଉପରେ ଏକାଧିକ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଏଠାରେ ନିର୍ଦ୍ଧାରିତ ମାନ ନଥିବା ଧାନ ସବୁ ଜମା ହୋଇ ରହିଥିବା ଯଦ୍ୱାରା ଭଲ ମାନର ଧାନ ରଖିଥିବା ପରବର୍ତ୍ତୀ ଚାଷୀମାନେ ଧାନ ବିକ୍ରି କରି ନପାରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଜମା ଥିବା ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି, ବୀରମହାରାଜପୁର ଏବଂ ଏଆରସିସ୍‌ଙ୍କ ଅଧୀନରେ ଏକ ସ୍ୱତନ୍ତ୍ରଦଳ ଉଫୁଲା ମଣ୍ଡିରେ ପହଞ୍ଚିଛି । ନିର୍ଦ୍ଧାରିତ ମାନ ନଥିବା ଧାନ ସବୁ କେଉଁ ପରିସ୍ଥିତିରେ ଏଠାରେ ଜମା ହୋଇ ରହିଛି ତାର କୈଫିୟତ ଉଫୁଲା ସମ୍ପାଦକଙ୍କୁ ମାଗିବା ପାଇଁ ଜିଲ୍ଲାପାଳ ଏଆରସିସ୍‌ଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ଉଫୁଲା ପ୍ୟାକ୍ସ ସହିତ ବୀରମହାରାଜପୁରର ସମସ୍ତ ମଣ୍ଡି ଉପରେ ତୀକ୍ଷ୍ଣ ନଜର ରଖି ଯେଭଳି ଭାବରେ ଅସାଧୁ ବ୍ୟବସାୟିଙ୍କ ଦ୍ୱାରା ଧାନ ସବୁ ମଣ୍ଡି ମାନଙ୍କରେ ଜମା ନହେବ ଏବଂ ପ୍ରକୃତ ଚାଷୀ ଧାନ ବିକ୍ରୟ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତା ଉପରେ ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ତହସିଲଦାର ବୀରମହାରାଜପୁରଙ୍କୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁରେଶ ପାଣିଗ୍ରାହୀ ସୂଚନା ପ୍ରଦାନ କରଛନ୍ତି ।

Leave A Reply

Your email address will not be published.