୩୨ ନମ୍ବର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଓ ବିଜେପି ପ୍ରଚାରରେ ଆଗୁଆ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ପରିବେଶ ସରଗରମ ରହିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସବୁବେଳେ ରାଜନୀତିଜ୍ଞଙ୍କ ନଜରରେ ରହିଥାଏ । ଏହି ଜୋନ ୯ଟି ପଂଚାୟତକୁ ନେଇ ଗଠିତ ହୋଇଛି । ଏହି ଜୋନରେ ଗତ ୨୦୧୭ ନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲା । ଏହି ବିଜୟଧାରାକୁ ବିଜେପି ବଜାୟ ରଖିବ ନା କଂଗ୍ରେସ ହାତକୁ ଯିବ ତାହା ବେଶ ଚର୍ଚ୍ଚାରେ ରହିଛି । ଚଳିତ ନିର୍ବାଚନରେ ବିଜେଡି ଦଳ ପାଣ୍ଡବ ସାହୁଙ୍କୁ ଟିକେଟ ଦେଇଛି । ହେଲେ ପାଣ୍ଡବ ଗତ ୨୦୧୭ ନିର୍ବାଚନରେ ୩୧ ନମ୍ବର ଜୋନରୁ ବିଜେପି ଦଳରୁ ଟିକେଟ ପାଇ ବିଜୟୀ ହୋଇଥିଲେ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ହାସଲ କରିଥିଲେ । କିନ୍ତୁ ଚଳିତ ୨୦୨୨ ପଂଚାୟତ ନିର୍ବାଚନ ପୂର୍ବରୁ ସେ ବିଜେଡିକୁ ଡିଆଁ ମାରିଥିଲେ । ପରେ ବିଜେଡି ଦଳ ତାଙ୍କୁ ଜୋନ ନମ୍ବର ୩୨ରୁ ଟିକେଟ ଦେଇଛି । ସେ ବିଜେପିରେ ଜିଲ୍ଲା ଉପାଧ୍ୟକ୍ଷ ଥାଇ ମଧ୍ୟ ସେପରି କିଛି ଆଖିଦୃଶିଆ ତଥା ଉନ୍ନତିମୂଳକ କାମ କରି ନ ଥିବାରୁ ଜନସାଧାରଣ ସହଜରେ ଗ୍ରହଣ କରୁନାହାନ୍ତି । ସେଥିପାଇଁ ତାଙ୍କୁ ଲୋକେ ପୁଣି ଥରେ ଜିଲ୍ଲାପରିଷଦ ଭାବରେ ଗ୍ରହଣ କରିପାରିବେ ନା ନାହିଁ ତାହା ଦେଖିବା ବାକି ରହିଲା । ସେପଟେ କଂଗ୍ରେସର ପ୍ରାର୍ଥୀ ପ୍ରମୋଦ ଭୋଇ ଓ ବିଜେପିର ପ୍ରାର୍ଥୀ ତ୍ରିନାଥ ସାହୁ ଦୁହେଁ ନିଜ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ଜୋର୍‌ଦାର୍‌ ପ୍ରଚାର କରୁଛନ୍ତି । ଯାହାଫଳରେ ବିଜେଡ଼ି ଦଳ ପଛରେ ରହିଥିବାରୁ ଅଞ୍ଚଳରେ ବେଶ ଆଲୋଚନା ଜୋର୍‌ ଧରିଛି ।

Leave A Reply

Your email address will not be published.