- ଚାଷୀ ବିରୋଧି ବିଜେପି, ବିଜେଡିକୁ ଲୋକେ ବରଖାସ୍ତ କରନ୍ତୁ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକରେ ନିଳେନ୍ଦ୍ରୀ ସେଠଙ୍କ ପାଇଁ ନରସିଂହ ମିଶ୍ର ଆଜି ଭୋଟ ପ୍ରଚାର କରିଛନ୍ତି । ଭୋଟ ପ୍ରଚାର ସମୟରେ ସେ କହିଛନ୍ତି ଯେ, ଗାଁକୁ ଗାଁ ନିର୍ବାଚନ ପ୍ରଚାର ବେଳେ ସ୍ପଷ୍ଟ ଜଣାପଡୁଛି, ଚାଷୀଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଜଳସେଚନ, ବିହନ, ନୂତନ ଜ୍ଞାନ କୌଶଳ ତ ଦୂରେ ଥାଉ ସେମାନେ ନିଜ ଅମଳର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ପାଉ ନାହାନ୍ତି । ସରକାରଙ୍କ ଅବହେଳା ଯୋଗୁଁ ଧାନ ମଣ୍ଡିମାନଙ୍କୁ କଟନି ଛଟନିର ଶିକାର ହୋଇ ଆର୍ଥିକ କ୍ଷତି ସହୁଛନ୍ତି । ଚାଷୀ ଆବଶ୍ୟକ ସ୍ଥଳେ ନିଜ ଫସଲ ପାଇଁ ଆବଶ୍ୟକୀୟ ସାର କୀଟନାଶକ ପାଇଁ ମଧ୍ୟ ଡହକ ବିକଳ ହେଉଛି । ଅନ୍ୟପଟେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କଠୋର ପଦକ୍ଷେପ ନେବା ପରିବର୍ତ୍ତେ ସତ୍ତାଧାରୀ ବିଜେପି ଓ ବିଜେଡି ଦଳ ଚାଷୀକୂଳ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦି ଆହୁରି ଗରିବ ଅସହାୟ ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି । ତେଣୁ ଲୋକେ ଏଥର ଏହି ଚାଷୀ ବିରୋଧି ବିଜେପି, ବିଜେଡି ଦଳକୁ ବରଖାସ୍ତ କରି କଂଗ୍ରେସ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦାନ କରି ଜୟଯୁକ୍ତ କରନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ଜୋନ ୨୩ କଂଗ୍ରେସ ପ୍ରାର୍ଥିନୀ ନିଳେନ୍ଦ୍ରୀ ସେଠଙ୍କ ପାଇଁ ନିର୍ବାଚନୀ ପ୍ରଚାର ସମୟରେ ଜନତାଙ୍କୁ ନିବେଦନ କରିଛନ୍ତି । ଆଜି ବାଲାଙ୍ଗିର ସଦର ବ୍ଲକ ଜୋନ ନଂ୨୩ ଅନ୍ତର୍ଗତ ଖର୍ଲିକାନି, ସିକାଛିଡା, ସାଉନ୍ତମୁଣ୍ଡା, ଚିକଲବାହାଲ, କୁଡାସିଂହା, ନୁଆଁପଡା, ଭୁତିଆରବାହାଲ, ରାଜମୁଣ୍ଡା, ବରଗାଁ ଓ ବଇଦିପାଲିିରେ ନିର୍ବାଚନ ସଭାରେ ବିଧାୟକ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି ଦଳ କେବଳ ଗାଦୀ ମୋହ ଘାରିଛି । ଜନାଦେଶ ପରେ ଜନସେବା କରିବା ପରିବର୍ତ୍ତେ ଖୋଦ ଏମାନଙ୍କ ଦଳିୟ କର୍ମୀ ନେତାମାନଙ୍କ ଦୁର୍ନୀତି, ନାରୀ ନିର୍ଯ୍ୟାତନାରେ ସବୁବେଳେ ସଂମ୍ପୃକ୍ତି ଦେଖିବାକୁ ମିଳୁଛି । ଘଟଣାର ସତ୍ୟାସତ୍ୟ ବାହାର କରି ଦୋଷୀଙ୍କୁ କଠୋର ଦେଣ୍ଡ ଦେବା ପରିବର୍ତ୍ତେ ଉଭୟ ଦଳ ନିର୍ଲଜତାର ସହିତ ଘୃଣ୍ୟ ଘଟଣାମାନଙ୍କୁ ଲିପ୍ତ ଦଳିୟ କର୍ମୀଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି । ସେହିପରି ଉଭୟ ବିଜେପି, ବିଜେଡି ଲୋକକଙ୍କୁ ଆହୁରି ମଜବୁତ କରି ଗଢି ନତୋଳି ଜନତାଙ୍କୁ ତାଙ୍କର ବିଭିନ୍ନ ସମ୍ବିଧାନିକ ଓ ମୌଳିକ ଅଧିକାରରୁ ବଞ୍ଚିତ କରୁଛନ୍ତି । ତେଣୁ ଏହି ପଞ୍ଚାୟତ ନିର୍ବାଚନରେ ଲୋକେ ଏହି ଉଭୟ ଦଳଙ୍କୁ ଜନତା ପ୍ରତି ତାଙ୍କର ବିଶ୍ୱାସଘାତର ଉଚିତ ଜବାବ ଦିଅନ୍ତୁ । ତା’ସହ ଗରିବ, ଦଳିତ, ଆଦିବାସୀ, କୃଷକଙ୍କ ସ୍ୱାର୍ଥର ରକ୍ଷା ପାଇଁ କଂଗ୍ରେସ ଦଳକୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର, କଂଗ୍ରେସ ପ୍ରାର୍ଥିନୀ ନିଳେନ୍ଦୀ ସେଠଙ୍କ ସହିତ କଂଗ୍ରେସ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଉମାଶଙ୍କର ପଣ୍ଡା, ଚାଷୀନେତା ଚଗଲା ପରିଚ୍ଛା, ଅଜୟ ବାଲୀ, ସରୋଜ ରଥ, ଜୁଲୁ ପଟ୍ଟନାୟକ, ବିଶ୍ୱଜିତ ନାଥ, ସୁରେନ୍ଦ୍ର ନାଥ ଓ କୁବେର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।