
ଖପ୍ରାଖୋଲ, (କେପିଏନ୍ଏସ୍) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷହେବା ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇସାରିଛି । ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମାତ୍ର ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତ ମଧ୍ୟରୁ ସାତଟି ପଞ୍ଚାୟତର ୧୪ଟି ୱାର୍ଡରେ ୱାର୍ଡସଭ୍ୟ ପାଇଁ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି । ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ ମତେ ଏହି ୱାର୍ଡ ଗୁଡିକରେ ପୁନର୍ବାର ନାମାଙ୍କନ ପତ୍ର ଦାଖଲ ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ୨୯ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଧାର୍ଯ୍ୟ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ସମ୍ପୃକ୍ତ ୱାର୍ଡର ଇଚ୍ଛୁକ ପ୍ରାର୍ଥୀ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ । ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିବା ପରେ ସଙ୍ଗେ ସଙ୍ଗେ ଯାଞ୍ଚ କରିବା ସହିତ ସଂକେତ ମଧ୍ୟ ପ୍ରଦାନ କରାଯିବ । ନାନ୍ଦୁପଲା ପଞ୍ଚାୟତର ୨,୧୧ ନମ୍ବର ୱାର୍ଡ, କରୁଆଁଝର ପଞ୍ଚାୟତର ୮ ନଂ, ଦମେଇପାଲିର ୭ ନଂ, ଲୁହାସିଂହାର ୧ ନଂ, ମହରାପଦରର ୩ ନଂ ଏବଂ ୧୦ ନଂ, ମାଲପଡାର ୫ ନଂ, ତେଲେନପାଲିର ୩,୬,୭,୮,୧୦ ଏବଂ ୧୨ ନଂ ୱାର୍ଡରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାପଡିଛି । ଯଦି ପୁନର୍ବାର ୱାର୍ଡସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କେହି ନକରନ୍ତି ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିପିଓ ସୁଶାନ୍ତ କୁମାର ପାଣି ପ୍ରକାଶ କରିଛନ୍ତି ।