ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଂଚିଲେ, ୯ ମୃତ୍ୟୁ, ୪୦ରୁ ଅଧିକ ଆହତ, ୫ ଲକ୍ଷ କ୍ଷତିପୂରଣ ଘୋଷଣା

କୋଲକାତା : ଗୁରୁବାର ସଂଧ୍ୟାରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ିିରେ ବିକାନେର୍‌ ଗୌହାଟି ଏକ୍ସପ୍ରେସ ୧୫୬୩୩ (ଅପ୍‌ ଲାଇନ୍‌)ର ଅନେକ ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି ।

ଏକ ସରକାରୀ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ୟ୍ୟନ୍ତ ୯ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏଥି ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଘଟଣା ସ୍ଥଳରେ ପହଂଚିଛନ୍ତି । ବିକାନେର ଗୌହାଟି ଏକ୍ସପ୍ରେସ ପାଟନା ଠାରୁ ଗୌହାଟିକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଗୌହାଟି-ବିକାନେର ଏକ୍ସପ୍ରେସର ଦୁର୍ଘଟଣା ସ୍ଥଳ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାରଲା ପରିଦର୍ଶନ କରିଛନ୍ତି । ଜନ ବାର୍ଲା କହିଛନ୍ତି, “ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୬ ଜଣ ଆହତ ହୋଇଛନ୍ତି ।’

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହିତ ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆଘାତ ପ୍ରାପ୍ତ ଲୋକଙ୍କୁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.