କରୋନାର ତୃତୀୟ ଲହର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତତ୍ପର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ଗ୍ରହଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୫୩ଟି ଏକ୍ଟିଭ କେସ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ୧୮୫୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ୩୬୯୩ ଜଣକୁ କରୋନା ଟୀକା ଦିଆଯାଇଛି । ଜିଲ୍ଲାରେ ତୃତୀୟ ଲହରରେ ମୃତ୍ୟୁ ଚିହ୍ନଟ ହୋଇନଥିବା ଏବଂ ସାମୁହିକ ରିକୋଭରି ହାର ୯୬.୭୬ ପ୍ରତିଶତ ରହିଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ପ୍ରଶାସନର ବରିଷ୍ଠ ପଦଧିକାରୀଙ୍କୁ ହୋମ ଆଇସୋଲେସନ୍‌ରେ ଥିବା କୋଭିଡ ରୋଗୀମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ରଖି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି କ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାସ, ତରଭା ବ୍ଲକ ପରିଦର୍ଶନ କରି ତହସିଲଦାର, ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନଏସି, ତରଭାଙ୍କ ସହିତ ଆଲୋଚନା କରି କୋଭିଡ ପରିସ୍ଥିତିର ସମୀକ୍ଷା କରିଥିଲେ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାସହ ହୋମ ଆଇସୋଲେସନ୍‌ରେ ଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସୋନପୁର ବ୍ଲକର କୋଭିଡ ପରିସ୍ଥିତି ସମୀକ୍ଷା କରି ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟିଙ୍କ ସହ କୋଭିଡକୁ ପ୍ରତିହତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରେ ରେପୀଡ ରେସ୍ପୋନ ଟିମର ଡାକ୍ତରି ଦଳ ଓ ସ୍ୱାସ୍ଥ୍ୟ କର୍ମୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହୋମ ଆଇସୋଲେସନ୍‌ରେ ଥିବା କୋଭିଡ ରୋଗୀମାନଙ୍କୁ ଆଇସୋଲେସନ୍‌ କୀଟ ବିତରଣ ପୂର୍ବକ ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସି ସେମାନଙ୍କୁ ସେମାନଙ୍କର ମନୋବଳ ବୃଦ୍ଧି କରୁଛନ୍ତି । ଜିଲ୍ଲା ପ୍ରଶାସନ ପ୍ରତିଟି କେସ୍‌ ଉପରେ ନଜର ରଖିଛି ଏବଂ ଜିଲ୍ଲାରେ କରୋନା ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.

19 + 13 =

error: Content is protected !!