ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ଉଦ୍‌ଯାପିତ : ଫାଇନାଲ ମ୍ୟାଚ୍ ଟାଏ

  • ବିକାଶ କ୍ରିକେଟ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ଯୁଗ୍ମ ବିଜେତା ଘୋଷିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡଠାରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ ଭିଜନ ୨୦-୨୪ରେ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ବରଗଡ ବିକାଶ କ୍ରିକେଟ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଏଥିରେ ଉଭୟ ଦଳ ସମାନ ସଂଖ୍ୟକ ରନ୍ କରିବାରେ ସଫଳ ହେବାରୁ ଉଭୟ ଦଳକୁ ପ୍ରତିଯୋଗିତାର ଯୁଗ୍ମ ବିଜେତା ଘୋଷିତ କରାଯାଇଥିଲା । ଆଜି ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆର୍ୟମାନ ମିଶ୍ରଙ୍କ ୬୬ ରନ, ପ୍ରବୀଣ ଲୁହାଙ୍କ ୨୭ ରନ, ମହମ୍ମଦ ସଲିମଙ୍କ ୧୭ ରନ ଫଳରେ ଦଳ ୩୪.୨ ଓଭରରେ ୧୪୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ବିକାଶ ପକ୍ଷରୁ ନିଖିଲ ପାଢ଼ୀ ୩୧/୪, ପ୍ରିତମ ଜେନା ୩୧/୩, ନିହାର ରଞ୍ଜନ ବେହେରା ୩୦/୨ ଓ ରାହୁଲ୍ ଚୌଧୁରୀ ୩୨/୧ ୱିକେଟ ନେଇଥିଲେ । ଜବାବରେ ବିକାଶ ଦଳ ବ୍ୟାଟିଂ କରି ରାହୁଲ ଚୌଧୁରୀଙ୍କ ୫୧ ରନ, ନିଖିଲ ପାଢ଼ୀଙ୍କ ୩୬ ରନ, ରାକେଶ ରଞ୍ଜନ କିଶାନଙ୍କ ୧୫ ରନ ଫଳରେ ଦଳ ୪୧.୨ ଓଭରରେ ସମାନ ସଂଖ୍ୟକ ୧୪୫ ରନ କରି ଅଲ୍ ଆଉଟ୍ ହୋଇ ଯିବାରୁ ମ୍ୟାଚ୍ ଟାଇରେ ସମାପ୍ତ ହୋଇଥିଲା । ପ୍ରତିପକ୍ଷ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ପକ୍ଷରୁ ରୂପକ ପ୍ରଧାନ ୨୪/୪, ସୁମିତ ରାଏ ୫୧/୩, ମହମ୍ମଦ ସଲିମ ୧୧/୨, ଦେବେନ୍ଦ୍ର କୁଅଁର୍ ୨୬/୧ ୱିକେଟ ନେଇଥିଲେ । ଉଭୟ ଦଳକୁ ଚଳିତ ବର୍ଷ ପାଇଁ ଯୁଗ୍ମ ବିଜେତା ଘୋଷିତ କରାଯାଇଥିଲା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆଜିର ଖେଳ ପରିଚାଳନା କରିଥିଲେ ସଞ୍ଜୟ ନାୟକ ଓ ପ୍ରଦୀପ କୁମାର ଦାଶ । ଅନ ଲାଇନ ସ୍କୋରର ଥିଲେ ରଜତ ଦାଶ ଓ ଅଫ ଲାଇନ ସ୍କୋରର ଥିଲେ ମନୋଜ ପାତ୍ର । ଜିଲ୍ଲା କ୍ରିକେଟ ଆସୋସିଏସନ୍‌ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସଭାପତି ହରିହର ପ୍ରଧାନ, ବିକାଶ ଗ୍ରୁପର ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ ଡି.ନାଗେଶ୍ଵର ରାଓ, କ୍ରିକେଟ ଆସୋସିଏସନ୍ ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ପୂର୍ବ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ, ସନ୍ତୋଷ ପଣ୍ଡା, ନବୀନ ଲାଠ, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ଡିଏଏ ସଦସ୍ୟ ସୁବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ଉଭୟ ଦଳକୁ ଯୁଗ୍ମ ବିଜେତା ଟ୍ରଫି । ବ୍ଲୁ ଡ଼ାଇମଣ୍ଡ ଦଳର ଆର୍ଯ୍ୟମାନ ମିଶ୍ର (୨୮୫ ରନ)ଙ୍କୁ ପ୍ରତିଯୋଗିତା ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଗୋଡଭଗା ସେଣ୍ଟ୍ରାଲ ଦଳର ବାଦଲ ପରଦେଶୀ ନିଶାଦ୍(୧୬ ୱିକେଟ)ଙ୍କୁ ଶ୍ରେଷ୍ଠ ବୋଲର, କଟାପାଲି ଦଳର ସୃତୀରାଜ୍ ମିଶ୍ର (୨୬୮ ରନ ଓ ୮ ୱିକେଟ)ଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ, ବିକାଶ ଦଳର ନିଖିଲ ପାଢ଼ୀ (୩୬ ରନ ଓ ୪ ୱିକେଟ)ଙ୍କୁ ମ୍ୟାନ ଅଫ ଦି ଫାଇନାଲ, ସୋହେଲା ଦଳର ରାହୁଲ ସାହୁ (୪୪ ରନ ଓ ୧୨)ଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ନବ ପ୍ରତିଭାବାନ ଖେଳାଳୀ ଭାବରେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଅଫିସିଆଲ୍ ମାନଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିକାଶ ଦଳ କୋଚ ଅଶୋକ ସିଂ, କ୍ରୀଡା ଶିକ୍ଷକ ପିତାମ୍ବର ପ୍ରଧାନ, ଶୁଭମ୍ ପାତ୍ର, ଭରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.