ସିନାପାଲି, (ନିରାକାର ମେହେର) : ରାଜ୍ୟରେ ନୂଆପଡା ଏକ ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ । ପ୍ରତି ବର୍ଷ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି । ପ୍ରଶାସନର ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଦାଦନ ରୋକିବାରେ ସଫଳ ହୋଇ ପାରୁନାହିଁ । ପ୍ରତିବର୍ଷ ବର୍ଷ ଲୋକେ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଦାଦନ ସମସ୍ୟା ଥମିବାର ନା ଧରୁନି । ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ଦାଦନପ୍ରବଣ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ଅଂଚଳରୁ । ପ୍ରାପ୍ତ ଖବର ଅନୁସାରେ ଭରୁଆମୁଣ୍ଡା ଓ ନୂଆପଡା ଗ୍ରାମର ପ୍ରାୟ ୧୭ ଜଣ ଲୋକ ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦକୁ ଗତ ବର୍ଷ ଜଣେ ଦାଦନ ଦଲାଲଙ୍କ ଜରିଆରେ ଯାଇଥିଲେ । ଭରୁଆମୁଣ୍ଡା ନିବାସୀ ଶ୍ରମିକ ସୁନାଫୁଲ ହଂସ, ଦୁର୍ମିଳା ହଂସ, ରେବତୀ ନାଗ, କୁମର ବାଗ, ରାଇଫଳ ବାଗ, ସେବତୀ ନାଗ, ଧୂମତି ବାଗ, ସୁଜନ ନାଗ, ଖୁଡ ବାଗ, ମନ ନାଗ, କୃଷ୍ଣ ନାଗ, ଉର୍ବଶୀ ନାଗ, ବିଷ୍ଣୁ ଜଗତ, ଶ୍ରୀଧର ନାଗ, ଧନେ ନାଗ ପ୍ରମୁଖ ସ୍ଥାନୀୟ ଦାଦନ ଦଲାଲ ଜରିଆରେ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସେଠାରେ ଦୀର୍ଘ ଛଅ ମାସ ଦାଦନ ଖଟିବା ପରେ ପାରିଶ୍ରମିକ ପାଇଁ କହିଥିଲେ । କିନ୍ତୁ ସେମାନଙ୍କୁ ଆଜି ଯାଏଁ ପାଉଣା ମିଳିପାରି ନାହିଁ । ଆଜି କାଲି କହିକହି ସେମାନଙ୍କୁ ଠକି ଚାଲିଥିଲା । ଦାଦନ ଖଟିବା ପାଇଁ ଯିବା ସମୟରେ ଅଗ୍ରୀମ ଟଙ୍କା ଦେବା ପାଇଁ କହିଥିଲା କିନ୍ତୁ ଦେଲା ନାହିଁ । ଦି ପଇସା ରୋଜଗାର ଆଶାରେ ଶ୍ରମିକମାନେ ଦାଦନ ଖଟିବାକୁ ଯାଇଥିଲେ । ସେମାନଙ୍କ ଆଶା ଆଶାରେ ରହିଗଲା । ସେଠାରେ ଦିନ ରାତି ଖଟି ଛଅ ମାସ କାମ କଲେ । ସେମାନଙ୍କ ଦାଦନ ଖଟଣୀର ସମୟ ଛଅ ମାସ ପୁରି ଗଲା ହେଲେ ଦଲାଲକୁ ବାରମ୍ବାର କହିବା ସତ୍ୱେ ପାଉଣା ଦେବାରେ ଆଗ୍ରହ ପ୍ରକାଶ କଲା ନାହିଁ । ବରଂ ଦିନ ଗଡାଈ ଚାଲିଲା । ଶେଷରେ ଗାଁକୁ ଗଲେ ଦେବି କହି ଠକି ଚାଲିଲା । ଗାଁକୁ ଫେରିବା ପରେ ସେ କାହାରି କଥା ଶୁଣିଲା ନାହିଁ । ଶ୍ରମିକମାନେ ଟଙ୍କା ମାଗିବାରୁ ତାଙ୍କୁ ଗାଳିଗୁଲଜ କରି ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ସତର ଜଣ ଶ୍ରମିକଙ୍କ ପ୍ରାୟ ଲକ୍ଷାଧିକ ଟଙ୍କା ସେ ଦଲାଲ ହଡପ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଦାଦନ ଦଲାଲର ଠକାମିର ଶିକାର ହୋଇଥିବା ଶ୍ରମିକମାନେ ସିନାପାଲି ଥାନାକୁ ଯାଇ ଦଲାଲଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ସେମାନେ ପ୍ରକାଶ କରିଛନ୍ତି । ହେଲେ ଅଭିଯୋଗ ପରେବି କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି । ଅନ୍ୟ ପକ୍ଷରେ ଦଲାଲ ବେଫିକରରେ ବୁଲୁଥିବା ଅଭିଯୋଗ କରିଛନ୍ତି । ଏଭଳି ଅନେକ ଦାଦନ ଦଲାଲଙ୍କ ପ୍ରାଦୁର୍ଭାବ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ପ୍ରଶାସନର ନୀରବତାକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ଦାଦନ ଚାଲାଣ ଋତୁ ଚାଲିଥିବା ବେଳେ ଦୈନିକ ସିନାପାଲି ଅଞ୍ଚଳରୁ ଶହ ଶହ ଦାଦନ ବାହାର ରାଜ୍ୟକୁ ଦଲାଲମାନଙ୍କ ଜରିଆରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସିନାପାଲିରୁ ସିଧା ହାଇଦ୍ରାବାଦକୁ ବସ ଚଳାଚଳର ସୁବିଧା ଥିବାରୁ ଦଲାଲମାନେ ଦାଦନ ଚାଲାଣ କରିବାରେ ସହଜ ହେଉଛି । ପ୍ରଶାସନ ଏଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଠକାମିର ଶିକାର ହୋଇଥିବା ଶ୍ରମିକଙ୍କ ପାରିଶ୍ରମିକ ଯୋଗାଇ ଦେଇ ସମ୍ପୃକ୍ତ ଅସାଧୁ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବୀ କରିଛନ୍ତି ।