ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ କ୍ରମେ ଆଜି ସକାଳୁ ବରଗଡ଼ ସହରରେ ମାଳ ମାଳ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସେହିପରି ସୋହେଲା ଏବଂ ବରପାଲିଠାରେ ମଧ୍ୟ ସ୍ଥାନୀୟ ଓ ଉପକୁଳିଆ ନେତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବାକୁ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରୁଛନ୍ତି । ଆଜି ସକାଳୁ ବରଗଡ଼ ବନ୍ଦ ପାଳନ ଯୋଗୁଁ ବିଭିନ୍ନ ହୋଟେଲ ଆଦିରେ ନିଜ ସହଯୋଗୀଙ୍କ ସହ ନେତାମାନେ ଆଲୋଚନାରେ ବ୍ୟସ୍ତ ରହିଥିଲେ । ସେହିପରି ସଭା ସ୍ଥଳ ବିଜେପୁର ବ୍ଲକ ଏମ୍ ଗଣ୍ଡପାଲି ପଡ଼ିଆରେ ଜିଲ୍ଲା ପ୍ରଶାସନ ସହ ନେତାମାନଙ୍କ ମଧ୍ୟ ଉପସ୍ଥିତି ପରିଲକ୍ଷିତ ହେଉଛି । ଅପରପକ୍ଷରେ ସଭା ସ୍ଥଳରେ ପ୍ରବେଶ ପାଇଁ ସ୍ଵଳ୍ପ ଅତିଥି ନିମତ୍ରିତ ହୋଇଥିବା ବେଳେ ସାମ୍ବାଦିକମାନଙ୍କୁ ମଧ୍ୟ କଟକଣା ଲଗାଯାଇଛି । ଗତକାଲି ସାମ୍ବାଦିକମାନଙ୍କ ଆର୍ଟିପିସିଆର୍ ଟେଷ୍ଟ ହୋଇଥିବା ବେଳେ ସଭା ସ୍ଥଳକୁ ନିଜ କ୍ୟାମେରା ନେବାକୁ ବାରଣ କରାଯାଇଛି । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାବା ସହ ଜିଲ୍ଲାରେ ବିଭିନ୍ନ ଜନ ହିତକାରୀ କାର୍ଯ୍ୟର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଭାର୍ଚୁଆଲ ମୋଡରେ କରିବାର କାର୍ଯ୍ୟକ୍ରମ ରହିଛି ।
Prev Post