ଉଦନ୍ତୀ ନଦୀରେ ବ୍ରିଜ ନିର୍ମାଣ ଜାଗାକୁ ନେଇ ଦ୍ଵନ୍ଦରେ ପ୍ରଶାସନ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ପତିଏଲପଡା ନିକଟରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁ ଜାଗାକୁ ନେଇ ପ୍ରଶାସନ ଦ୍ଵନ୍ଦରେ ପଡ଼ିଯାଇଛି । ସୂଚନା ଅନୁସାରେ ପ୍ରଶାସନ ତରଫରୁ ଗତ ୮ ତାରିଖ ଦିନ କଳାହାଣ୍ଡି ଅଧିକ୍ଷଣ ଯନ୍ତ୍ରୀ କେ. ଭି. ପି ରାଓ ସମେତ ଏକ ପ୍ରତିନିଧି ଦଳ ସହ ଆସି ଜାଗା ଚିହ୍ନଟ କରିବା ସହ ସର୍ଭେ କାର୍ଯ୍ୟ ସାରି ଫେରି ଯାଇଥିଲେ । ଯେଉଁ ସ୍ଥାନରେ ସର୍ଭେ କରି ସାରିଛନ୍ତି ସେହି ସ୍ଥାନଟି ଉପଯୁକ୍ତ ରହିଥିବା ବେଳେ ସେଠାରେ ସରକାରୀ ଜାଗା ରହିଛି । ଯାହା ଫଳରେ ସରକାର କୌଣସି ଜମି ଅଧିଗ୍ରହଣ ରାଶି ଦେବାକୁ ପଡ଼ିବନି ବୋଲି ପ୍ରକାଶ କରିଥିଲେ । ହେଲେ କିଛି ଦିନର ନୀରବତା ପରେ କିଛି ବ୍ୟକ୍ତି ଯନ୍ତ୍ରୀଙ୍କୁ ଉକ୍ତ ସ୍ଥାନରେ ନ କରି ପତିଏଲପଡା ଶିବ ମନ୍ଦିର ନିକଟରେ ନିର୍ମାଣ କରିବାକୁ ଦାବୀ ଜଣାଇଛନ୍ତି । ହେଲେ ଏହି ସ୍ଥାନରେ ହେଲେ ବିରାଟ ଶାଗୁଆନ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା ରହିଛି । ଏଠାରେ ବନ ବିଭାଗ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ସହ ବହୁ ପରିଶ୍ରମରେ ଜଙ୍ଗଲ ସୃଷ୍ଟି କରିଛି । ବିରାଟକାୟ ହୋଇଥିବା ବହୁ ମୂଲ୍ୟବାନ ଗଛ ଏଥିରେ ବଳିପଡ଼ିବ ବୋଲି ପରିବେଶ ବିତ୍ ମହଲରେ ମତପ୍ରକାଶ ପାଉଛି । ପ୍ରଶାସନ ସବୁ ଦିଗକୁ ଆଖି ଆଗରେ ରଖି ଏହି ବ୍ରିଜ ନିର୍ମାଣ କଲେ ଯେପରି କୌଣସି ଲୋକ କିମ୍ବା ପରିବେଶ ଉପରେ ପ୍ରଭାବ ନ ପଡ଼େ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ବ୍ରିଜ ନିର୍ମାଣ ପାଇଁ ଉପାନ୍ତ ଅଞ୍ଚଳର ନଙ୍ଗଲବୋର୍ଡ, ଘାଟମାଳ, ଖଇର ପଦର ନୂଆମାଳପଡା ପଞ୍ଚାୟତର ଜନସାଧାରଣ ଜିଲ୍ଲା ସଦର ମହକୁମା ଯିବାପାଇଁ ଦୀର୍ଘପଥ ଦେଇ ଯିବା ଆସିବା କରୁଛନ୍ତି । ଜରୁରୀ ସମୟରେ କୌଣସି କାମ କିମ୍ବା ରୋଗୀମାନଙ୍କୁ ନେବା ସମୟରେ ବୁଲାଣିଆ ରାସ୍ତା ଦେଇ ଗଲା ବେଳେ ଅନେକ ଜୀବନ ହାନୀ ଘଟୁଥିଲା । ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଅନେକ ଥର ପ୍ରଶାସନ ତଥା ସରକାରଙ୍କ ନିକଟରେ ଦାବୀ ଜଣାଇ ଆସୁଥିଲେ । ବର୍ତ୍ତମାନ ଏହି କାର୍ଯ୍ୟ ଆରମ୍ଭ ବେଳକୁ ପ୍ରଶାସନକୁ ଦ୍ଵନ୍ଦଘେରକୁ ଆଣୁଥିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave A Reply

Your email address will not be published.