ସିନାପାଲିରେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ : ସମ୍ପୃକ୍ତ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମର ଜଣେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଞ୍ଚଳରେ କରୋନାର ପୁନଃ ପ୍ରବେଶକୁ ନେଇ ଆତଙ୍କ ଦେଖାଦେଇଛି । ଏନେଇ ଶୁକ୍ରବାର ଏକ ଡାକ୍ତରୀ ଦଳ ସମ୍ପୃକ୍ତ ଗାଁକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରିଥିବା ଜଣାପଡ଼ିଛି । ହେଲେ ସମସ୍ତ ଯାକ ନେଗେଟିଭ ଆସିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ଗୁରୁବାର ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥ ଶିଶୁଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ସେତେବେଳେ ଶିଶୁଟି କରୋନା ଆକ୍ରାନ୍ତ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ଏନେଇ ସିନାପାଲି ପ୍ରଶାସନିକ ତତ୍ପରତା ଦେଖାଦେଇଥିଲା । ଆଜି ପୂର୍ବାହ୍ନରେ ଡାକ୍ତର ଭୈରବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ସମ୍ପୃକ୍ତ ଗ୍ରାମକୁ ଯାଇ ୪୨ ଜଣଙ୍କ ନମୁନା ସଂଗ୍ରହ କରିଥିଲେ, ହେଲେ ସମସ୍ତ ଯାକ ନେଗେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏମିତିକି ଶିଶୁର ମା’ ଓ ବାପାଙ୍କ ମଧ୍ୟ ନେଗେଟିଭ ଥିବା ସୂଚନା ମିଳିଛି । ହେଲେ କିପରି ଭାବରେ ଜଣେ ୨୧ ମାସର ଶିଶୁ କରୋନା ଆକ୍ରାନ୍ତ ହୋଇଛି, ସେ ନେଇ କୌଣସି ପ୍ରକାର ସ୍ପଷ୍ଟ ଜଣାପଡି ନାହିଁ । ସମ୍ପୃକ୍ତ ଗାଁକୁ ଯାଇଥିବା ଡାକ୍ତରୀ ଦଳରେ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡି କର୍ମୀ ସାମିଲ ଥିଲେ । କରୋନାକୁ ହାଲୁକା ନ ନେଇ ସମସ୍ତ କଟକଣା ପାଳନ କରିବାକୁ ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.