ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଡେଲାଙ୍ଗ ଶାଖାର ପ୍ରମୁଖ କର୍ମକର୍ତ୍ତା ବ୍ରହ୍ମାକୁମାର ସୁକାନ୍ତ ବେହେରା(୫୫)ଙ୍କ ଅକାଳ ବିୟୋଗରେ ଆଜି ରେଞ୍ଚସ୍ଥିତ ଶାଖା କାର୍ଯ୍ୟାଳୟରେ ଦିବଂଗତ ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ତଥା ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମାକୁମାରୀ ସଂଯୁକ୍ତା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଡ.ପ୍ରତିଭା ମହାରଥୀ, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଜୋନର ତତ୍ତ୍ଵାବଧାରୀକା ବ୍ରହ୍ମାକୁମାରୀ ଲୀନା ଭଉଣୀ ପ୍ରମୁଖ ଯୋଗଦେଇ ବି.କେ.ସୁକାନ୍ତଙ୍କ ସମର୍ପିତ ତ୍ୟାଗ, କର୍ତ୍ତବ୍ୟନିଷ୍ଠା, ପରୋପକାରୀତା, ସମାଜସେବା ଆଦି ସୁଗୁଣର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବ୍ରହ୍ମାକୁମାରୀ ଇନ୍ଦୁମତୀ ଭଉଣୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସୂଚନାଯୋଗ୍ୟ ଦିବଂଗତା ବି.କେ.ସୁକାନ୍ତ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଡେଲାଙ୍ଗ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ଆଧ୍ୟାତ୍ମବାଦର ପ୍ରଚାର ଓ ପ୍ରସାର ନିମନ୍ତେ ବି.କେ.ସୁକାନ୍ତଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମୁଖ୍ୟଅତିଥି ଡ଼.ମହାରଥୀ ମତପ୍ରକାଶ କରିଥିଲେ । ବ୍ରହ୍ମାକୁମାର ପିତାମ୍ବର ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।