ରୁଷରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଛି : ଗୋଟିଏ ଦିନରେ ୧,୧୫୯ ଜଣଙ୍କ ମୃତ୍ୟୁ, ମସ୍କୋରେ କଡ଼ାକଡ଼ି ହେଲା ପ୍ରତିବନ୍ଧକ
ମସ୍କୋ : ରୁଷରେ କୋଭିଡ -୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଲୋକେ ଘରେ ରହି ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମସ୍କୋରେ ଗୁରୁବାର ଦିନ ୧୧ ଦିନିଆ ନିଷେଧାଦେଶ ଜାରି ହୋଇଛି । ସରକାରୀ କରୋନା ଭାଇରସ୍ ଟାସ୍କଫୋର୍ସ ରିପୋର୍ଟ କରିଛି ଯେ, ୨୪ ଘଣ୍ଟା ମଧ୍ୟରେ ୧,୧୫୯ ଲୋକ ଏହି ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି, ଏହାପରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୨୩୫,୦୫୭ ହୋଇଛି ।
ଦେଶରେ ମହାମାରୀ ଆରମ୍ଭ ହେବା ପରେ ଆଜି ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହା ବ୍ୟତୀତ ଗୁରୁବାର ଦିନ ୪୦,୦୯୬ ନୂତନ ସଂକ୍ରମଣର ରିପୋର୍ଟ ହୋଇଛି ।
ସଂକ୍ରମଣକୁ ରୋକିବା ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅକ୍ଟୋବର ୩୦ରୁ ନଭେମ୍ବର ୭ ମଧ୍ୟରେ କଡ଼ାକଡ଼ି ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅଧିକାଂଶ ସରକାରୀ ସଂଗଠନ ଏବଂ ବେସରକାରୀ ବ୍ୟବସାୟ ବନ୍ଦ କରିବାର ବ୍ୟବସ୍ଥା ରହିଛି । ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଏହାକୁ ଶୀଘ୍ର କାର୍ୟ୍ୟକାରୀ କରିବାକୁ ସେ ଉତ୍ସାହିତ କରିଥିଲେ । କିଛି ଅଞ୍ଚଳରେ ଏହି ସପ୍ତାହ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିଥିଲେ ।