ମହାଦୁର୍ନୀତିର ବଳୟରେ ଖପ୍ରାଖୋଲ ଅଞ୍ଚଳର ମନରେଗା ଦୃଶ୍ୟପଟ୍ଟ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଖପ୍ରାଖୋଲ ବ୍ଲକ କୌଣସି ନା କୌଣସି ମନରେଗା କାର୍ଯ୍ୟକୁ ନେଇ ଘୋଟଲାରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମରେ । ସୂଚନା ଅନୁଯାୟୀ ଚଳିତ ବର୍ଷ ଚୋରମୁଡା ଗ୍ରାମର ବନ୍ଧନାଳ ଉନ୍ନତିକରଣ ପାଇଁ ୮ ଲକ୍ଷ ଟଙ୍କା ରାଶି ଅଟକଳରେ କାମ ଅନୁମୋଦନ ହୋଇଥିବା ବେଳେ ୬ ଲକ୍ଷ ୧୨ ହଜାର ୯୯୪ ଟଙ୍କାର କାମ ହୋଇ କାଗଜ ପତ୍ରରେ ବିଲ ପାସ୍‌ ହୋଇଛି, ହେଲେ କାର୍ଯ୍ୟଟା ସେଠାରେ ୫% ପ୍ରତିଶତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରଥମେ କୌଣସି ସରକାରୀ କାର୍ଯ୍ୟ କରିବା ପୂର୍ବରୁ ସୂଚନା ଫଳକ ଲାଗିବା କଥା ସେଇଟା ପୁଣି ନାହିଁ । ସେଠାରେ ନିୟୋଜିତ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଆଶ୍ଚର୍ଯ୍ୟର କଥା କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ କାର୍ଯ୍ୟସ୍ଥଳକୁ ନ ଯାଇ ମାଟି ନ ନାପି କେମିତି ବିଲ ତିଆରି କଲେ ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏ ନେଇ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଉନାହାନ୍ତି । ଯେଉଁମାନେ ପାଞ୍ଚ-ଦଶ ବର୍ଷ ହେଲାଣି ମୃତ୍ୟୁ ବରଣ କଲେଣି ସ୍ୱର୍ଗତ ରାମପ୍ରସାଦ ତାଣ୍ଡି, ସ୍ୱର୍ଗତ ତୁଳସୀ ପ୍ରସାଦ ନାଗ, ସ୍ୱର୍ଗତ ସୁରୁ ଭୋଇ ସେମାନେ ମଧ୍ୟ  ମନରେଗା କାର୍ଯ୍ୟରେ ନିୟୋଜିତ ଥିବା ଏବଂ ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପକେଇଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ ମନରେଗା ଯୋଜନାରେ କାର୍ଯ୍ୟ ହୋଇଥିବା ଜିରୋ ଗ୍ରାଉଣ୍ଡକୁ ଯାଇ କାର୍ଯ୍ୟକୁ ତଦାରଖ କରିଥିଲେ କି…? ଏ ବିଷୟରେ ଗ୍ରାମବାସୀ ଖପ୍ରାଖୋଲ ବିଡ଼ିଓ ମହାଶୟଙ୍କୁ ଅବଗତ କରିଥିଲେ ମଧ୍ୟ ତାହାର ଆଜି ପର୍ଯ୍ୟନ୍ତ କିଛି ଉତ୍ତର ମିଳି ପାରିନାହିଁ । ଏ ନେଇ ଚୋରମୁଡା ଗ୍ରାମର କିଛି ଲୋକ ସୋମବାର ବଲାଙ୍ଗିର ଜିଲ୍ଲାପାଳ ଏବଂ ପ୍ରକଳ୍ପ ଅଧିକାରୀଙ୍କୁ କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ, ଜିଆର୍‌ଏସ୍‌ ସରୋଜ ଭୋଇ ଓ ଗାଁ ସାଥୀ ଶ୍ରୀମନ୍ତ ତାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବଂ ବନ୍ଧନାଳର ତଦନ୍ତ ପାଇଁ ଅଭିଯୋଗ କରିଥିଲେ । ପ୍ରଶାସନ କେମିତି ସତ୍ୟତା ବାହାର କରି ଲୋକ ଲୋଚନକୁ ଆଣି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗ୍ରାମବାସୀ ତାହା ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.