ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଅବାଧ ମଦ ବ୍ୟବସାୟ ବଢିବାରେ ଲାଗିଛି । ଏଥିରେ ଗରିବ ଖଟିଖିଆ ପରିବାର ନିଷ୍ପେସିତ ହେଉଥିବା ବେଳେ ମଦ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଏଠାରେ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ନୂଆପଡା ଜିଲ୍ଲା ଏକ ପଛୁଆ ଜିଲ୍ଲା ହୋଇଥିବା ବେଳେ ଏଠାରେ ନିଶା ବ୍ୟବସାୟ ଏକ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି । ବିଶେଷ କରି ଖଡ଼ିଆଳ ବ୍ଲକର ସହରଠାରୁ ଗ୍ରାମଞ୍ଚଳରେ ମାତ୍ରାଧିକ ମଦ କୋଠି ଚାଲୁ ଥିବାରୁ ଯୁବକମାନେ ବିପଥଗାମୀ ହେଉଥିବା ଅଭିଯୋଗ ହେଉଛି । ମଦ ଯୋଗୁଁ ଗରିବ ଖଟିଖିଆ ପରିବାର ଆହୁରି ତଳିତଳାନ୍ତ ହେଉଥିବା ବେଳେ ପରିବାରମାନଙ୍କରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଖଡ଼ିଆଳ ବ୍ଲକର ପ୍ରତ୍ୟେକ ଗାଁରେ ମାତ୍ରାଧିକ ପରିମାଣରେ ମଦ ବ୍ୟବସାୟ ଚାଲୁଥିଲେ ହେଁ ଖଡ଼ିଆଳ ପୋଲିସ ଓ ଅବକାରୀ ବିଭାଗ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି । ଏହି ସବୁ ମଦ କାରବାରରେ ବ୍ୟବସାୟୀ ଓ ପୋଲିସର ମିଳିତ ସହଯୋଗ ଅଛି ବୋଲୀ ଲୋକେ ଅଭିଯୋଗ କରିଛନ୍ତି ।ଏହାକୁ ବିରୋଧ କରି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗାଁର ମହିଳା ସଂଗଠନମାନେ ମଦ ବିରୋଧୀ ଆନ୍ଦୋଳନ ଚଳାଇଛନ୍ତି । ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁରରେ ଥିବା ମଦ କୋଠିମାନଙ୍କୁ ଯାଇ ଚେତାବନୀ ଦେଇଛନ୍ତି । ଆଗାମୀ ସପ୍ତାହକ ମଧ୍ୟରେ ମଦ କୋଠିଗୁଡିକୁ ବନ୍ଦ ନକଲେ ମହିଳାମାନେ ମଦ କୋଠିଗୁଡିକୁ ଜାଳି ଦେବୁ ବୋଲି ଚେତାବନୀ ଦେଇଛନ୍ତି । ବାରମ୍ବାର ପୋଲିସ ଓ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ବାଧ୍ୟ ହୋଇ ଆମେ ଏ ପଦକ୍ଷେପ ନେଇଛୁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।