csstore

ନକଲି ମାଓବାଦୀ ସାଜି ପାଞ୍ଚଲକ୍ଷ ଟଙ୍କା ବଟି ମାଗି ଧରାପଡିଲେ ଦୁଇ ଅଭିଯୁକ୍ତ

ଖପ୍ରାଖୋଲ, (ଅଶୋକ ବାଗ ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳ ଭାବରେ ଜଣା ଶୁଣା । ଏହି ଅଞ୍ଚଳରେ ମଝିରେ ମଝିରେ ମାଓବାଦୀ ନିଜର ଗତିବିଧି ଜାହିର କରୁଥିବା ବେଳେ ସରକାର ମଧ୍ୟ ମାଓ ଦମନ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଗତ କିଛି ଦିନ ହେବ ଏହି ଅଞ୍ଚଳର ଏକ ଅପରାଧୀ ଗ୍ୟାଙ୍ଗ ନକ୍ସଲ ମାନଙ୍କ ନାମରେ ଧନୀ ଲୋକ ଏବଂ କଣ୍ଟ୍ରାକ୍ଟରଙ୍କୁ ଜୀବନରେ ମାରି ଦେବା ଧମକ ଦେଇ ବଟି ମାଗିବା ଆରମ୍ଭ କରି ଦେଇଛନ୍ତି । ସୂଚନା ଅନୁଯାୟୀ ଖପ୍ରାଖୋଲ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ରହୁଥିବା ମୋହମ୍ମଦ ଇଲିୟାସ ନାମକ ଜଣେ କଣ୍ଟ୍ରାକ୍ଟରଙ୍କୁ ଗତ ୧୦.୧୦.୨୦୨୧ ତାରିଖ ଦିନ ଏକ ଅଜଣା ଫୋନ ନଂରୁ କଲ ଆସିଥିଲା । ଫୋନରେ ହରିଶଙ୍କର କ୍ୟାଡର ନାମରେ ପାଞ୍ଚ ଲକ୍ଷ ଟଙ୍କା ଚାନ୍ଦା ଆକାରରେ ମାଗିଥିଲେ ଓ ଯଦି ଟଙ୍କା ନ ଦେଲେ ଜୀବନ ପ୍ରତି ବିପଦ ଥିବା କହି ଧମକ ଦେଇଥିଲେ । ଏ ନେଇ କଣ୍ଟ୍ରାକ୍ଟର ମୋହମ୍ମଦ ଇଲିୟାସ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ, ଅଭିଯୋଗକୁ ଭିତ୍ତି କରି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଫୋନ ନମ୍ବରଟିକୁ ତାଙ୍କର ଟେକନିକାଲ ଟିମକୁ କଲ ଟ୍ରେକିଙ୍ଗ କରିବା ପାଇଁ ଦେଇଥିଲେ । ଫୋନ ଟ୍ରେକିଙ୍ଗ ପରେ ବାଞ୍ଜିପାଲି ଗ୍ରାମର ବିକାଶ ସାହୁ (୨୪), ଏବଂ ଧଣ୍ଡାମୁଣ୍ଡା ଗ୍ରାମର ସୁମନ ଶେଖର ସାହୁ (୨୮) ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତରୁ ଜଣା ପଡିଥିଲା ଯେ ଏହି ଦୁଇ ଅଭିଯୁକ୍ତ ନକଲି ମାଓବାଦୀ ସାଜି ଚାନ୍ଦା ଆଦାୟ ପାଇଁ ମୋହମ୍ମଦ ଇଲିୟାସଙ୍କୁ ଫୋନ କରି ଧମକ ଦେଇଥିଲେ । ଏ ନେଇ ଖପ୍ରାଖୋଲ ଥାନାରେ କେଶ ନଂ ୧୬୨/୨୧ ଧାରା ୪୧୯/୩୮୬/୫୦୬/୫୦୭/୩୪ ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.