ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କାଳିଆବାଲି ଛକ ସ୍ଥିତ ସଂଘ କାର୍ଯ୍ୟାଳୟଠାରେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପଗୁଡିକରେ ପରିବହନ କ୍ଷେତ୍ରରେ ସ୍ଥାନୀୟ ଯୁବ ଉଦ୍ୟୋଗୀଙ୍କ ଟ୍ରକ୍ଗୁଡିକୁ କିପରି ନିୟୋଜିତ କରାଯାଇ ପାରିବ ସେ କ୍ଷେତ୍ରରେ ଆଲୋଚନା ହୋଇଥିଲା । ଏଥି ସକାଶେ ସଂଘ ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ୍.ପି. ଏବଂ ବିଭିନ୍ନ ଶିଳ୍ପସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଲିଖିତ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏଣୁ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷ ଏ ଦିଗରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ସ୍ଥାନୀୟ ଯୁବ ଉଦ୍ୟୋଗୀଙ୍କୁ ରୋଜଗାର ସୁଲଭ କରିବାର ବ୍ୟବସ୍ଥା କରାଇବେ ବୋଲି ଗୋପାଳପୁର ବନ୍ଦର ଟ୍ରକ୍ ମାଲିକ ସଂଘର ମୂଳ ଉଦ୍ଦେଶ୍ୟ ନେଇ ଆଶାବାଦୀ ରହିଛି । ନଚେତ ସଂଘ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ସଂଘର ଉପଦେଷ୍ଟା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସହଯୋଗୀ ଉପଦେଷ୍ଟା ବିଜେଡି ନେତା ଜଗନ୍ନାଥ ସାବତ, ସଭାପତି ସୁମନ୍ତ କୁମାର ପଣ୍ଡା, ଉପସଭାପତି ଧର୍ମରାଜୁ ରେଡ୍ଡୀ, ସାଧାରଣ ସଂପାଦକ ଜି.ଭାସ୍କର ରେଡ୍ଡୀ, ସହ ସଂପାଦକ ସିମାଞ୍ଚଳ ରାଉତ ଓ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ରାଓଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।