ସମ୍ବିଧାନ ଓ ଗାନ୍ଧୀଙ୍କ ରାମଧୁନ ମଧ୍ୟରେ ରହିଛି ଅପୂର୍ବ ସମନ୍ୱୟ : ପଞ୍ଚାନନ କାନୁନଗୋ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ଭାରତୀୟ ସମ୍ବିଧାନ ଓ ଗାନ୍ଧୀଜୀଙ୍କ ରାମଧୁନ ମଧ୍ୟରେ ରହିଛି ଅପୂର୍ବ ସମନ୍ବୟ ବୋଲି ଅତିଥି ଭାବେ ଯୋଗଦେଇ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । ଆମେ ଭାରତୀୟ ପକ୍ଷରୁ ସେକ୍ଟର ୭ ସ୍ଥିତ ସିଅର କାର୍ଯ୍ୟାଳୟ ଠାରେ ‘ଗାନ୍ଧୀ ଓ ଯୁବ ସମାଜ’ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ନାରାୟଣ ପ୍ରସାଦ ଦାସ, ସମାଜସେବୀ ହରିହର ରାଉତରାୟ, ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ସିଅରର ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟରେ ମତ ରଖିଥିଲେ । ଆମେ ଭାରତୀୟ ଅନୁଷ୍ଠାନର ମୁଖ୍ୟ ପ୍ରବୋଧ ଦାସଙ୍କ ସଭପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ କାନୁନ୍‌ଗୋ ନିଜ ବକ୍ତବ୍ୟରେ କହିଲେ ଯେ, ଗାନ୍ଧୀଜୀଙ୍କୁ ଜାଣିବାକୁ ତାଙ୍କୁ ଓ ତାଙ୍କ ଦର୍ଶନକୁ ଭଲଭାବେ ପଢି ଆତ୍ମସ୍ଥ କରିବାକୁ ପଡିବ । ଗାନ୍ଧୀଙ୍କ ରାମଧୁନ ସମ୍ବିଧାନ ମଧ୍ୟରେ ରହିଛି । ସର୍ବଧର୍ମର ସମନ୍ବୟ, ସମାନ ବିଚାରଧାରା ଗାନ୍ଧୀଙ୍କ ବିଚାରଧାରା ଥିବା ବେଳେ ବର୍ତ୍ତମାନ ରାମତତ୍ବକୁ ହତ୍ୟା କରାଯାଉଛି । ସମସ୍ତେ ସମ୍ବିଧାନ ସଂପର୍କରେ ଜାଣିବା ଉଚିତ । ଏଥିରେ ଯୁବ ଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୁଖ୍ୟବକ୍ତା ଶ୍ରୀ ଦାସ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖି କହିଲେ ଯେ, ସମ୍ବିଧାନ ପାଇଁ ଭିତ୍ତିଭୂମି ଗାନ୍ଧୀଜୀ ପକାଇ ଦେଇଥିଲେ । ତେବେ ଏହା ଭିତରେ ୧୨୩ଥର ସମ୍ବିଧାନ ସଂଶୋଧନ କରାଗଲାଣି । ସମସ୍ତଙ୍କ ମଧ୍ୟରେ ସମାନତା ଓ ସମାନ ଅଧିକାର ଆମ ସମ୍ବିଧାନର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଆମେ ଏଥିରେ କେତେ ସଫଳ ତର୍ଜମା କରିବାର ସମୟ ଆସିଛି । ସମ୍ମାନିତ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଲେ ଯେ, ପ୍ରତ୍ୟେକ ଦିନ ଗାନ୍ଧୀ ବିଚାରର ହତ୍ୟା କରାଯାଉଛି । ଅନ୍ୟତମ ଅତିଥି ଭାବେ ଶ୍ରୀ ରାଉତରାୟ ଅହିଂସାର ପ୍ରକୃତ ଅର୍ଥ ବୁଝିବା ପାଇଁ ପରାମର୍ଶ ଦେବା ସହ ଅନ୍ୟତମ ଅତିଥି ସାମ୍ବାଦିକ ଶ୍ରୀ ଦାସ ନିଜ ବକ୍ତବ୍ୟରେ ସମ୍ବିଧାନ ଓ ଆମ ସମସ୍ତଙ୍କ ଅଧିକାର ବିଷୟରେ ଜାଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାପତି ଶ୍ରୀ ଦାସ ସଭାପତିତ୍ବ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ବାସୁଦେବ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.