ଗୋଧସ ଜଳ ପ୍ରପାତରେ ପୁଣି ଅଘଟଣ, ଯୁବକଯୁବତୀ ନିଖୋଜ

ନୂଆପଡା, (ନିରାକାର ମେହେର) : ଆଜି ପ୍ରାତଃ ପ୍ରାୟ ଆଠଟା ସମୟରେ ନୂଆପଡା ସଦର ବ୍ଲକ ଠାରୁ ୨୫ କିମି ଦୂର ଭରୁଆମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓ ସୁନାବେଡା ଅଭୟାରଣ୍ୟରେ ଅବସ୍ଥିତ ଗୋଧସ ଜଳ ପ୍ରପାତ ଉପରୁ ଡେଇଁ ଦୁଇ ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେମାନେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲାର କୌଣସି ଗ୍ରାମର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି, ଘଟଣାସ୍ଥଳରେ ଏକ ଶାଗୁଆ ସାର୍ଟ, ଫୁଲ ପ୍ୟାଣ୍ଟ ଓ ହାତ ଘଣ୍ଟା ଥିଲେ ହେଁ ସୁସାଇଡ଼ ନୋଟ ମିଳି ନଥିବାରୁ ଆତ୍ମହତ୍ୟାର ସଠିକ ସୂଚନା, ତଥ୍ୟ ଓ ଠିକଣା ମିଳିପାରି ନାହିଁ । ଏ ସମ୍ପର୍କରେ ଧରମବନ୍ଧା ଥାନା ସହ ଯୋଗଯୋଗ କରିବାରୁ ଉପରୋକ୍ତ ତଥ୍ୟ ଦେଇଥିବା ବେଳେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲାର ଛୁରା ଅଞ୍ଚଳକୁ ଖୋଜ ଖବର ନେବାକୁ ପ୍ରୟାଶ ଚାଲିଛି ବୋଲି କହିଥିଲେ । ନୂଆପଡାରୁ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ କରିବାକୁ ଜଳ ପ୍ରପାତ ଯାଇଥିବା ସୂଚନା ମିଳିଛି । ଚଳିତ ମାସ ୧୬ ସେପ୍ଟେମ୍ବର ଦିନ ନୂଆପଡାର ବିଦେଶୀ ମଦ ଦୋକାନ ମ୍ୟାନେଜର ସହ ପାଞ୍ଚଜଣ ସହଯୋଗୀ ଯୁବକ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଗୋଧସ ଜଳ ପ୍ରପାତକୁ ଯାଇ ବିସର୍ଜନ ବେଳେ ତିନି ଜଣ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ପ୍ରେମୀ ଯୁଗଳଙ୍କ ଜଳ ପ୍ରପାତରେ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଶୋକର ଲହରି ଖେଳାଇ ଦେଇଛି । ସୂଚନା ଥାଉ କି ନୂଆପଡା ବିଦେଶୀ ମଦ ଦୋକାନର ତିନି ଯୁବକଙ୍କ ଶବ ଦୀର୍ଘ ଷୋହଳ ଘଣ୍ଟା ପାଣିରେ ବୁଡି ରହିବା ପରେ ଶବକୁ ଦମକଳ ବାହିନୀ ଉଦ୍ଧାର କରିଥିଲେ । ପ୍ରକାଶ ଥାଉ କି, ଶବ ଉଦ୍ଧାର ପରେ ଗୋଧସ ଜଳ ପ୍ରପାତ ସ୍ଥିତ ଶିବ ମନ୍ଦିର ପରିସରରେ ଜଳାଭିଷେକ ଓ ରୁଦ୍ରାଭିଷେକ ତଥା ହୋମ, ଯଜ୍ଞ ଓ ପୂଜାର୍ଚ୍ଚନା କରି ମନ୍ଦିର ପବିତ୍ର କରାଯାଇଥିଲା । ସୁନ୍ଦର ସବୁଜ ଗୋଧସ ଜଳ ପ୍ରପାତରେ ବାରମ୍ବାର ଏଭଳି ଘଟଣା ଭୟର ବାତାବରଣ ସୃଷ୍ଟି କରିବା ସହ ଡେଥ ପଏଣ୍ଟରେ ପରିଣତ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଜଳପ୍ରପାତରେ ଏଭଳି ବାରମ୍ବାର ଅଘଟଣ ଘଟୁଥିଲେ ବି ଜିଲ୍ଲା ପ୍ରଶାସନ ଏହାର ପ୍ରତିକାର କରୁନାହିଁ ବୋଲି ଚଚ୍ଚା ହେଉଛି । ଏହି ଜଳ ପ୍ରପାତଟି ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଆସୁଥିବାରୁ ନୂଆପଡା ବନ୍ୟଜନ୍ତୁ ବିଭାଗ ଡିଏଫଓ ଗୋଧସ ଜଳ ପ୍ରପାତରେ ବ୍ୟାରିକେଟ କରି ନିରାପଦ ଗାଧୁଆ ବ୍ୟବସ୍ଥା କରାଯାଉ ଅଥବା ବିପଦ ଜୋନ ଘୋଷଣା କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଖବର ଲେଖା ହେବା ଯାଏଁ ସବିଶେଷ ତଥ୍ୟ ହସ୍ତଗତ ହୋଇ ନାହିଁ ।

Leave A Reply

Your email address will not be published.