ମୂଲ୍ୟ ବୃଦ୍ଧିକୁ ନେଇ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ

ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟଧିକ ଲାଭ ପାଇବା ଆଶାରେ ଅସାଧୁ ବ୍ୟବସାୟୀ ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟର ଷ୍ଟିକର ଲଗାଇ ବିକ୍ରିକରି ଧରାପଡି ଦଣ୍ତିତ ହେବା ଭଳି ଖବର ଇସ୍ପାତ ମାର୍କେଟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାରୁ ପ୍ରକାଶ ଯେ, ଜନୈକ ଶର୍ମା ସାଙ୍ଗିଆ ଧାରୀ ଯୁବକ ଇସ୍ପାତ ମାର୍କେଟ ସ୍ଥିତ ଦୋକାନ ନଂ ୧୪୪ ଚନ୍ଦନ ଏଣ୍ଟରପ୍ରାଇଜେସ ଦୋକାନରୁ ଏକ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିଣିଥିଲେ । ଉକ୍ତ ସାମଗ୍ରୀର ମୂଲ୍ୟଥିବା ସ୍ଥାନରେ ଏକ ଷ୍ଟିକର ଲାଗିଥିଲା । ଷ୍ଟକରକୁ ଉଠାଇବା ପରେ ଅନ୍ୟ ଏକ ମୂଲ୍ୟ ଲେଖାଯାଇଥିଲା । ତେବେ ଏହା ତାଙ୍କର ସନ୍ଦେହ ହେବାରୁ ସେ ଇଣ୍ଟରନେଟ ମାଧ୍ୟମରେ କଂପାନି ସହ ଯୋଗାଯୋଗ କରି ସତ୍ୟାସତ୍ୟ ଜାଣିବା ପରେ ଏଥିପାଇଁ ସେ ଅନଲାଇନରେ ଅଭିଯୋଗ କରିଥିଲେ । କଂପାନି ମୁଖ୍ୟ ଏନେଇ ରାଜ୍ୟ ମୁଖ୍ୟ ଓ ରାଜ୍ୟ ମୁଖ୍ୟ ରାଉରକେଲାରେ ଥିବା ଓଜନ ମାପ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଭାଗର ବରିଷ୍ଠ ନିରିକ୍ଷକ ପ୍ରିୟବ୍ରତ ଜେନା, ନିରିକ୍ଷକ ହେମଲତା କିଶାନ ଓ କବିତା କିଶାନ ତଥା ଅନ୍ୟ କର୍ମଚାରୀ ମାନେ ଉକ୍ତ ଦୋକାନ ଉପରେ ଚଢାଉ କରି ବହୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରିବା ସହ ଏହାର ମାଲିକ ଚନ୍ଦନ ମହାରଣାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ଚନ୍ଦନ ଏହି ଆଇନ ଅସିଦ୍ଧ ବେନିୟମ କାର୍ଯ୍ୟ କରି ଗ୍ରାହକଙ୍କୁ ଠକିଛନ୍ତି । ସେ ନିର୍ଦ୍ଦାରିତ ମୂଲ୍ୟ ଉପରେ ଅଧିକ ମୂଲ୍ୟର ଷ୍ଟିକର ଲଗାଇ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରିଛନ୍ତି । ଏଣୁ ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରାଯାଇଛି । ଏହି ଖବର ସ୍ଥାନୀୟ ଇସ୍ପାତ ମାର୍କେଟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ମହଲରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.