‘କୋଶଳ ପ୍ରବାହ’ର ପ୍ରଭାବ : ବେସାହାରା ଅନାଥ ପିଲାଙ୍କ ଘରେ ପହଂଚିଲା ସିଡବ୍ଲୁସି : ବ୍ଳକ ପ୍ରଶାସନର ତତ୍ପରତା, ହରିଶ୍ଚଚନ୍ଦ୍ର ଯୋଜନାରୁ ମିଳିଲା ଟଙ୍କା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଁଭଟା ଗ୍ରାମର ମା’ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ଭାଇ ଭଉଣୀ ଘଟଣା ସଂପର୍କରେ ଗତ ୨୪ ତାରିଖ ଦିନ କୋଶଳ ପ୍ରବାହ ଲାଇଭ୍‌ରେ ଖବର ପ୍ରକାଶିତ ହେବା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଟିମ୍‌ ୪ଜଣ ଅନାଥ ପିଲାଙ୍କ ପାଖରେ ପହଞ୍ଚିଛି । ସୂଚନା ମତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସାରିକା ପୁରୋହିତ, ଅରୁଣ କୁମାର ଖୁଆସ, ସାମାଜିକ କର୍ମୀ ଉକ୍ତ ପରିବାରକୁ ଯାଇ ଭେଟିଥିଲେ । ସେମାନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଉକ୍ତ ପରିବାରର ୪ଜଣ ଅନାଥଙ୍କ ଶିଶୁ ମଙ୍ଗଳ ସମିତିଙ୍କୁ ଅବଗତ କରି ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ପୁରୋହିତ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ହରିଶ୍ଚନ୍ଦ୍ର ଯୋଜନାରୁ ଟଙ୍କା ମିଳିନ ଥିବା ବେଳେ ବ୍ଲକ ପ୍ରଶାସନ ତତ୍ପରତାର ସହ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆମ୍ବପାଲି ସରପଞ୍ଚ କ୍ଷୀର ଭରାସାଗର ଉକ୍ତ ପରିବାରକୁ ପହଂଚି ହରିଶ୍ଚ ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ଦେଇଛନ୍ତି ।


ପ୍ରକାଶଯୋଗ୍ୟ ଯେ, ଭେରୁଆଁଭଟା ଗ୍ରାମର ଗତ ୧୩ ତାରିଖ ଦିନ ବ୍ରଜପାତରେ ରେବତୀଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ୬ ବର୍ଷ ପୂର୍ବରୁ ମୃତ୍ୟୁ ଘଟି ସାରିଥିଲା । ତେବେ ବର୍ତ୍ତମାନ ସୁଜାତା ସାହୁ(୧୮), ଭଗବତୀ ସାହୁ(୧୨), ଭୀମସେନ ସାହୁ(୧୨), ମାନସୀ ସାହୁ(୮) ବାପା ମାଆଙ୍କ ମୃତ୍ୟୁ ପରେ ଏବେ ଅନାଥ । ତେବେ ଏମାନେ ଏବେ ପାଠ ପଢିବା ବୟସରେ ଛେଳି ଚରାଉଛନ୍ତି । ଏମାନଙ୍କ ପାଇଁ ସରକାରଙ୍‌ଙ୍କ ପକ୍ଷରୁ ୨୫କେଜି ଚାଉଳ ହିଁ ସାହା ଭରସା ସାଜିଛି । ବାପାମା’ଙ୍କ ତିଆରି କରିଥିବା ଭଙ୍ଗା କୁଡ଼ିଆ ଘରେ ଏବେ ଏମାନେ ଜୀଵନଯାପନ କରୁଛନ୍ତି । କିନ୍ତୁ ସେହି ଘର କେତେବେଳେ ଭୁଷୁଡି ପଡିବ ତାହା କହି ହେବ ନାହିଁ । ଡରି ଡରି ଜୀଵନ ବିତାଉଛନ୍ତି ଚାରି ଭାଇ ଭଉଣୀ । ସାହାରା କହିଲା ତାଙ୍କ ବୁଢ଼ା ବୟସର ଅଜାଆଈ । କିନ୍ତୁ ସେହି ଅଜାଆଈଙ୍କୁ ନିଜ ପେଟ ପୋଷିବା ପାଇଁ କଷ୍ଟ ହେଉଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନ ଥିବା ଚାରି ଭାଇ ଭଉଣୀ କହିଥିଲେ ।

ତେବେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତାକୁ ନେଇ ଏବେ ଖୁସି ଅଛନ୍ତି ୪ଜଣ ଅନାଥ ପିଲା । ପ୍ରଶାସନ ତାଙ୍କ ପାଖରେ ପହଞ୍ଚି ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ‘କୋଶଳ ପ୍ରବାହ’କୁ ଧନ୍ୟବାଦ ଜଣାଇଛନ୍ତି ଚାରି ଭାଇ ଭଉଣୀ ।

Leave A Reply

Your email address will not be published.