
- ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମହାଆଡ଼ମ୍ବରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ସଭାପତିତ୍ୱ କରିଥିଲେ । ଆଲୋଚକ ଭାବେ ଯୋଗଦେଇ ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ, ଯାଜ୍ଞସିନୀ ମହାପାତ୍ର ଓ ସବିତା ମିଶ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ, ଆଦର୍ଶ ଓ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ବକ୍ତାମାନେ କହିଥିଲେ ଯେ, ନେହେରୁ ଶିଶୁମାନଙ୍କୁ ଦେଶର ଅମୂଲ୍ୟ ସମ୍ପଦ ଓ ଭବିଷ୍ୟତର କର୍ଣ୍ଣଧାର ଭାବେ ଦେଖୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଓ ଭଲପାଇବା ତାଙ୍କୁ ‘ଚାଚା ନେହେରୁ’ ଭାବେ ପରିଚିତ କରାଇଥିଲା । ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା, ଜିଜ୍ଞାସା, ସୃଜନଶୀଳତା ଓ ମାନବିକ ମୂଲ୍ୟବୋଧର ବିକାଶ ହେଲେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ ବୋଲି ସେମାନେ ମତପ୍ରକାଶ କରିଥିଲେ । ବକ୍ତାମାନେ ଛାତ୍ରୀମାନଙ୍କୁ କେବଳ ପାଠପଢ଼ାରେ ସୀମିତ ନରହି ନିଜର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ସହ ଜୀବନରେ ଉଚ୍ଚ ଲକ୍ଷ୍ୟ ରଖିବାକୁ ଆହ୍ୱାନ ଦେଇଥିଲେ । ଶିଶୁମାନଙ୍କ ପାଇଁ ଏହି ଦିବସ କେବଳ ଆନନ୍ଦ ଓ ଉତ୍ସବର ଦିନ ନୁହେଁ, ବରଂ ସେମାନଙ୍କ ଅଧିକାର, ସ୍ୱପ୍ନ ଓ ସାମର୍ଥ୍ୟକୁ ସମ୍ମାନ ଦେବାର ଦିନ ବୋଲି ମତ ରଖିଥିଲେ । ଏଥିରେ ଛାତ୍ରୀମାନେ ଉତ୍ସାହର ସହ ଭାଗନେଇ ନିଜର ଜ୍ଞାନ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିଲେ । ସେହିପରି ଛାତ୍ରୀମାନଙ୍କୁ ନେଇ ଆୟୋଜିତ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଉତ୍ସବରେ ଆନନ୍ଦ ଓ ଉଲ୍ଲାସ ଭରିଦେଇଥିଲା । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଦେବ, ସୁମନାଞ୍ଜଳି ସାହୁ, ନମିତା କର ଓ ଅଂଶୁ ସାହାଣୀ ମଞ୍ଚାସୀନ ଥିଲେ । ଶିକ୍ଷକ ଡ. ସୁରେଶ ବାରିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।