ଅଖିଳ ଭାରତୀୟ ଗ୍ରାହକ ପଂଚାୟତ : ସ୍ୱର୍ଣ୍ଣ ଜୟନ୍ତୀ ପୁର୍ବରୁୁ କାର୍ଯ୍ୟକ୍ଷେତ୍ରରେ ବିସ୍ତାର କରାଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସ୍ଥାପନର ୫୦ ବର୍ଷ ପୂର୍ତ୍ତି କରୁଛି । ସ୍ୱର୍ଣ୍ଣ ଜୟନ୍ତୀ ପୂର୍ବରୁ ଏହାର କାର୍ଯ୍ୟକ୍ଷେତ୍ରକୁ ବିସ୍ତାରିତ କରି ବଲାଙ୍ଗିର ଜିଲ୍ଲାର ତହସିଲ ଏବଂ ପଂଚାୟତ ସ୍ତରକୁ କାର୍ଯ୍ୟକର୍ତ୍ତା ନିର୍ମାଣ କରାଯିବାକୁ ଆଜି ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ବଲାଙ୍ଗିର ଶାଖା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅସନ୍ତା ତିନି ମାସ ପାଇଁ ନୂତନ ସଭ୍ୟ ସଂଗ୍ରାହ ଓ ପୁରାତନ ସଭ୍ୟଙ୍କର ନବିକରଣ ପ୍ରକ୍ରିୟା ଆରମ୍ଭ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏବିଜିପିର ପୃଷ୍ଠ ପୋଷକ ମଗନଲାଲ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଗଠନର କାର୍ଯ୍ୟକ୍ଷେତ୍ର ବିକାଶ କରିବା ସଙ୍ଗେ ସଙ୍ଗେ ଖାଉଟିମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟକରିବା, ସମସ୍ୟାର ସମାଧାନ ଦିଗରେ ବିଭିନ୍ନ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସୂଚନା ଅଧିକାର କର୍ମୀ ନିଳମଣୀ ଯୋଷୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗ୍ରାହକ ପଂଚାୟତ ବିଭିନ୍ନ କାର୍ଯ୍ୟକୁ ସେ ପ୍ରଶଂସା କରି ଖାଉଟି ସୁରକ୍ଷା ଦିଗରେ ସୁଚନା ଅଧିକାର ମାଧ୍ୟମରେ ବିଭିନ୍ନ ଦିଗକୁ ସେ ବର୍ଣ୍ଣନା କରିଥିଲେ । ସୂଚନାର ଅଭାବରେ ଖାଉଟି ଅନେକ ସମୟରେ ଠକାମି ଶିକାର ହେଉଥିବା ବେଳେ, ସୂଚନା ଆଇନ ବଳରେ ଖାଉଟିର ଅଧିକାର ସାବ୍ୟସ୍ତ କରିପାରିବ ବୋଲି ସେ କହିଥିଲେ । ସଂଗଠନର ପ୍ରଚାର ପ୍ରସାର ପ୍ରମୁଖ ଇଂ. କିଶୋର ମୋହନ ମିଶ୍ର କୋଭିଡ୍ କାଳରେ ଭର୍ଚୁଏଲ୍‌ ମାଧ୍ୟମରେ ବିଭିନ୍ନ ବୈଠକ ହେଉଥିଲେ ମଧ୍ୟ ପରିଷଦ ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ସରକାରୀ କାର୍ଯ୍ୟକର୍ତ୍ତାମାନଙ୍କ ଦୃଷ୍ଟିକୁ ବିଭିନ୍ନ ସମସ୍ୟା ଅଣାଯାଇଛି ଏବଂ ଏ ଦିଗରେ ବିଭିନ୍ନ ସମାଧାନ ମଧ୍ୟ ହୋଇଛି ବୋଲି ବିବରଣୀ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ଯୋଗାଣରେ ଖାଉଟିକୁ ଅଧିକା ଟଙ୍କା ଦେବାକୁ ପଡୁଥିଲା, ଘରକୁ ଘର ଯୋଗାଣ ନାଁରେ ତାହାକୁ ବନ୍ଦ କରିବା ଦିଗରେ ସଂଗଠନ ପଦକ୍ଷେପ ନେଇଛି । କଂପାନୀ ସହିତ ପରାମର୍ଶ କରି ଦୁଇ ବର୍ଷ ହେଲା ଘରକୁ ଯୋଗାଣ ଖର୍ଚ୍ଚ ବିଲ ସହିତ ଖାଉଟି ଦେଉଥିଲେ ମଧ୍ୟ ଘରକୁ ଯୋଗାଣ ନାଁରେ ଅଧିକା ଟଙ୍କା ନେଉଥିବା ବନ୍ଦ ହୋଇଛି । ଯେଉଁ ଖାଉଟିମାନେ ଡିପୋକୁ ଯାଇ ସିଧାସଖଳ ଗ୍ୟାସ ନେବେ ସେମାନଙ୍କୁ ଡେଲିଭରି ଖର୍ଚ୍ଚ ଫେରସ୍ତ ଦେବାର ନିୟମ ଅଛି ବୋଲି କହିଥିଲେ । ବଲାଙ୍ଗିରର ବିଭିନ୍ନ ସମସ୍ୟା ଖାଉଟି ଭୋଗୁଥିବା ବିଭିନ୍ନ ଅସୁବିଧା ସଂପର୍କରେ ପଂଚାୟତର ଅଧ୍ୟାପକ ଜୟଚନ୍ଦ୍ର ସାହୁ, ଦୁର୍ଗା ପ୍ରସାଦ ହୋତା, ଲୋକନାଥ ପାତ୍ର, ଡା. ଗୋପାଳ ଚନ୍ଦ୍ର ମିଶ୍ର ଓ ଶ୍ରୀମତୀ ରଂଜିତା ମିଶ୍ର ଆଲୋକପାତ କରିଥିଲେ ଏବଂ ଏହାର ସମାଧାନ ଦିଗରେ ପରିଷଦ ପକ୍ଷରୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥିଙ୍କ ଦୀପ ପ୍ରଜ୍ଜଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମାଳତି ଉଦ୍‌ଗାତା ସଂଗଠନ ମନ୍ତ୍ର ପାଠ କରିଥିବା ବେଳେ ଶେଷରେ କୁସୁମ ଶତପଥି ଶାନ୍ତିପାଠ କରିଥିଲେ । ଏହି ଅବସରରେ ଶ୍ରୀ ଅଗ୍ରୱାଲ ସଂଗଠନର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ବିଭିନ୍ନ ଦାୟତ୍ୱରେ ସଭାପତି ଗୋପବନ୍ଧୁ ଶତପଥୀ, ଉପସଭାପତି ମହେଶ୍ୱର ସାହୁ, ସଂପାଦକ ଅଶୋକ କୁମାର ମିଶ୍ର, ସହସଂପାଦକ ମାଳତି ଉଦ୍‌ଗାତା, କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ବିଶ୍ୱନାଥ ତ୍ରିପାଠି, ଦୁର୍ଗା ପ୍ରସାଦ ହୋତା, ଗୋବର୍ଦ୍ଧନ ପାଣ୍ଡିଆ, ଜୟଚନ୍ଦ୍ର ସାହୁ, ବିଣାପାଣି ଆଚାର୍ଯ୍ୟ, ରଂଜିତା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସଂପାଦକ ଶ୍ରୀ ମିଶ୍ର ଶେଷରେ ସମସ୍ତଙ୍କର ସହଯୋଗ କାମନା କରି ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ଯେପରି ସେ ସୂଚନା ରୂପେ ତୁଳାଇ ପାରିବେ ସେ ଦିଗରେ ସହଯୋଗ କାମନା କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.