pr

ବିଜେପୁରଠାରେ ଜାତୀୟ ପୋଷଣ ସପ୍ତାହ ପାଳିତ

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜେପୁର ଖେଳ ପଡିଆଠାରେ ଓଡିଶା ମିଲେଟ୍‌ ମିଶନ ପକ୍ଷରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ୍‌ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ଜାତୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି । ଏହାକୁ ବିଜେପୁର ତହସିଲଦାର ଅଶ୍ୱିନୀ କୁମାର ଦାଶ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବିଜେପୁର ଭାରପ୍ରାପ୍ତ ବିଡ଼ିଓ ଦେବାଶିଷ ସିଂହ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅପପୁଷ୍ଟି ଜନିତ ବିଭିନ୍ନ ଶାରୀରିକ ସମସ୍ୟା ଓ ସଠିକ ଖାଦ୍ୟ ପୋଷଣର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା କୃଷି ବିଭାଗର ସ୍କିମ୍‌ ଅଫିସର ସଂଯୁକ୍ତା ମୁଣ୍ଡା କ୍ଷୁଦ୍ର ଦାନା ଶସ୍ୟର ଉପକାରିତା ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ଦାଶ, ମିଲେଟ୍‌ ମିଶନ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ କନ୍ଦପନ, ଜିଲ୍ଲା କ୍ରୀଡା ଅଧିକାରୀ ତୁଷାରକାନ୍ତି ମିଶ୍ର, ରାଜେଶ କୁମାର ଏକ୍କା, ଏନ୍‌ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ମିଶନ ଶକ୍ତି ବିପିସି ନରେଶ ବରିହା, ଓଡିଶା ଜୀବିକା ମିଶନର ଅଞ୍ଜନ ମିଶ୍ର ଓ ଶାନ୍ତନୁ ପଧାନ, ଆଇସିଡିଏସ, ବିଜେପୁରର ସମସ୍ତ ସୁପରଭାଇଜର୍‌ ଓ ୩୦ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ମୁଣ୍ଡମହୁଲ ଗ୍ରାମର ମା ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟମେଳା ଷ୍ଟଲ ତଥା ପୋଷଣ ରଥର ଶୁଭ ଉଦ୍‌ଘାଟନ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ମହାଶକ୍ତି ଫାଉଣ୍ଡେସନର ଉପ ସଭାନେତ୍ରୀ ରୋଜାଲିନ ଭୂୟାଁ ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଖାଦ୍ୟ ମେଳା ୨ ଦିନ ତଥା ସଚେତନତା ରଥ ୪ ଦିନରେ ବ୍ଲକର ୬୦ଟି ଗ୍ରାମକୁ ପରିକ୍ରମା କରି ଜନସାଧାରଣଙ୍କୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମକୁ ମିଲେଟ୍‌ ମିଶନ ବ୍ଲକ ସଂଯୋଜକ ରବି ରଣା ସଂଯୋଜନା କରିଥିବା ବେଳେ ସହ ସଂଯୋଜକ ଗୌର ରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶାନ୍ତ ଶତପଥୀ, ମହାଦେବ ସାହୁ, ଭୋଳାନାଥ ପଧାନ, ଫକୀର ଦୀପ, ସନ୍ତୋଷ ସାହୁ, ବିକ୍ରମ ସାହୁ, ଗୋପାଳ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।

nrusinghnath
Leave A Reply

Your email address will not be published.