ପୂଜା ପାଇଁ ଜାରି ହେଲା କରୋନା କଟକଣା : ଗଣେଶ ପୂଜା ହେବା ନେଇ ଦ୍ଵନ୍ଦରେ ମୂର୍ତ୍ତି କାରିଗର, ମୂର୍ତ୍ତି ନିର୍ମାଣ ସରି ଆସିଲାଣି, ଗ୍ରାହକଙ୍କ ଦେଖାନାହିଁ

ଦେଓଗାଁ, (ମନୀଷ କୁମାର ସାହୁ) : ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଜାନନଙ୍କ ଠାରୁ ଆରମ୍ଭ କରି ବିଶ୍ୱକର୍ମା, ମାଁ ଦୁର୍ଗା, ମାଁ ଲକ୍ଷ୍ମୀ, ମାଁ କାଳୀଙ୍କ ପୂଜା ହେବ। ଗଣେଷ ପୂଜାକୁ ଆଉ କିଛି ଦିନ ବାକି ରହିଛି । ମୂର୍ତ୍ତି କାରିଗରମାନଙ୍କ ମୂର୍ତ୍ତି ନିର୍ମାଣ କାମ ପ୍ରାୟ ସମାପ୍ତ ହେବାରେ ଲାଗିଥିବା ବେଳେ କରୋନା କଟକଣା ଯୋଗୁଁ ଗଣେଶ ପୂଜା ହେବା ନେଇ ଆଶଙ୍କା ଦେଖା ଦେଇଛି । ଗଣେଷ ପୂଜା ପ୍ରତ୍ୟେକ ଗାଁର ଗଳିକନ୍ଦିରୁ ଆରମ୍ଭ ହୋଇ ବଡ ବଡ ସହର ସବୁଠି ପାଳନ ହୋଇଥାଏ । ଗ୍ରାମାଞ୍ଚଳର ପଡ଼ା ପଡ଼ାରେ ଯୁବକମାନେ ମିଳିତ ହୋଇ ବଡ଼ ବଡ଼ ମେଢ଼ ଆୟୋଜନ କରିଥାନ୍ତି । ଏହା ସହ ବିଦ୍ୟାଳୟ, କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ପୂଜା ହୋଇଥାଏ । କାରିଗରମାନେ ବରାଦ ଅନୁସାରେ ବଡ଼ ବଡ଼ ସହ ଛୋଟ ମୂର୍ତ୍ତି ମଧ୍ୟ ବିକ୍ରି ପାଇଁ ତିଆରି କରିଥାନ୍ତି । ମୂର୍ତ୍ତି ତିଆରି କରିବା ପାଇଁ ମାଟି, ନଡା, ସୁତୁଲି, ବାଲି, ବାଉଁଶ, କାଠ ଓ ରଂଗ ଭଳି କଞ୍ଚାମାଲ ଆବଶ୍ୟକ ପଡୁଥିବା ବେଳେ କରୋନା କଟକଣା ଯୋଗୁଁ ଏସବୁ ସାମଗ୍ରୀ ପାଇବା ମଧ୍ୟ କଷ୍ଟକର ହୋଇପଡିଛି । ଏହାସତ୍ତ୍ୱେ କାରିଗରମାନେ ସମସ୍ତ ସାମଗ୍ରୀ ସଂଗ୍ରହ କରି ମୂର୍ତ୍ତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ପୂଜାର୍ଚ୍ଚନା ପାଇଁ ମଣ୍ଡପରେ ୭ଜଣଙ୍କ ଉପସ୍ଥିତ ରହିବା ନେଇ ଅନୁମତି ଦିଆଯାଇଛି । ହେଲେ ସର୍ବସାଧାରଣ ଲୋକଙ୍କୁ ପୂଜା ପାଇଁ ଅନୁମତି ଦିଆଯାଇ ନଥିବାରୁ ଗାଁ ଗାଁର ଗଳିକନ୍ଦିରେ ଗଣେଶ ପୂଜା କରୁଥିବା ସଂଗଠନଗୁଡ଼ିକ ପୂଜା ହେବ ନା ନାହିଁ ତାକୁ ନେଇ ହରଡ଼ଘଣାରେ ପଡିଛନ୍ତି । ଏହାକୁ ନେଇ ପୂଜା ମୂର୍ତ୍ତି ନିର୍ମାଣ କରୁଥିବା କାରିଗରମାନେ ମଧ୍ୟ ଏବେ ଦ୍ୱନ୍ଦରେ ପଡିଛନ୍ତି । ମୂର୍ତ୍ତି ନିର୍ମାଣ କାମ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ଏବେ ପୂଜା ୪ଫୁଟ୍‌ର ମୂର୍ତ୍ତିରେ ହେବ, କେଉଁଠି ହେବ, କେଉଁଠି ନାହିଁ ଜଣାପଡିନି । ଯଦି ସର୍ବସାଧାରଣରେ ଗଣେଶ ପୂଜା ନ ହୁଏ । ତେବେ ପ୍ରସ୍ତୁତ ମୂର୍ତ୍ତିକୁ ନେଇ କଣ କରିବେ ସେନେଇ ଚିନ୍ତାରେ ମୂର୍ତ୍ତି କାରିଗର ।

ମୂର୍ତ୍ତି କାରିଗରଙ୍କ ମୁହଁରୁ :-

-ତ୍ରିଲୋଚନ ଛତ୍ରିଆ, ମହଲାଇ
ମୁଇଁ ୩୫ବରଷ୍‌ ହେଲାନ ପୂଜା ମୂର୍ତ୍ତି ନିର୍ମାଣ କରୁଛେଁ । ଆମର ଗାଁ ସାଙ୍ଗେ ଦେଓଗାଁ ବ୍ଲକର ବହୁତ୍ ଗାଁକେ ଯାଇକରି ମୂର୍ତ୍ତି ତିଆରି ଦେସି । ବରଷ୍‌କ ପାଖାପାଖି ୨୫ରୁ ୩୦ଟା ଲେଖେନ୍ ବଡ ଆଉ ଛୋଟ ମୂର୍ତ୍ତି ମୋଟ ହିସାବରେ ପାଖାପାଖି ୬୦ଟା ଖଣେ ମୂର୍ତ୍ତି ନିର୍ମାଣ କରସିଁ । ହେଲେ ଇ ବର୍ଷ ପୂଜା ହେବା କି ନାଇଁ ଯେ ସରକାର ସଫାସଫା ନି କହେବାର୍‌ ହେଥିର ଲାଗି ମୂର୍ତ୍ତି ତିଆରି ନାଇ କରବାର । ତିଆରି ଦେମୁ ଆଉ ବିକ୍ରି ନିହେଲେ ପରିଶ୍ରମ ବେକାର ଯିବା, ଆଉ ନି ବନାଲେ ବେପାର ବନ୍ଦ ହେଲେ ଚଳ୍‌ମୁ କେନ୍ତା କରି ବୋଲି କହିଛନ୍ତି ।

-ରତ୍ନୁ ରଣା, ସାରସବାହାଲ
ପ୍ରାୟ ୧୨ବର୍ଷ ହେବା ମୁଇଁ ଇ ପୂଜା ମୂର୍ତ୍ତିମାନେ ତିଆରି କରୁଛେଁ । ଦେଓଗାଁ ସାଙ୍ଗେ ପାଖର ଆଖର୍ ବହୁତ୍ ଗାଁ ନୁ ବହୁତ୍ ପୂଜା କମିଟି ମାନେ ଆସି କରି ମୋର ଠାନୁ ମୂର୍ତ୍ତି ନେସନ୍ । ଗଲା ବର୍ଷ କରୋନା ଲାଗି ଅର୍ଡର କମ୍ ମିଳିଥିଲା । ହେଲେ ଇ ବର୍ଷେ ପୂଜା ହେବା ବଲିକରି ଭାବଲି ଆଉ ଛୋଟ ବଡ ମିଶେଇ କରି ୬୦ରୁ ୭୦ଟା ଖଣେ ମୂର୍ତ୍ତି ନିର୍ମାଣ କରିଛେଁ । ହେଲେ ଇହାଦେ ଗାଁ ମାନ୍‌କେ ପୂଜା ନି ହୁଏ ନ ବଲି ସୁଭବାର କେ ମିଳୁଛେ । ଏନ୍ତା ହେଲେ କଚାଁମାଲ୍‌ର ଖର୍ଚା ଆଉ ପରିଶ୍ରମ ବେକାର ହେଇଯିବା ବୋଲି କାରିଗର ରତ୍ନୁ ରଣା କହିଛନ୍ତି ।

-ଲୁକୁ ସେଠ୍, ଥାଲବନ୍ଦ
ମୁଇଁ ପୂଜା ମୂର୍ତ୍ତି ବନବାର ଟା ହାରାହାରି ୫ବର୍ଷ ହେଲାନ । ଗଲା ବର୍ଷ ୧୫ଟା ମୂର୍ତ୍ତି ବନେଇଥିନି । ହେଲେ ଇ ବର୍ଷ ପହେଲା ପହେଲା ଲୋକମାନେ ମୂର୍ତ୍ତି ନେବାର ଲାଗି କଥା ହେଇ ଆସିଥିଲେ । ଇ ବର୍ଷା ପୂଜା ସବୁଆଡେ ହେବା ବଲି ଲୋକ କହେଲେ ଯେ ପାଖାପାଖି ୪୦ରୁ ୪୫ଟା ମୂର୍ତ୍ତି ତିଆରିମି ବଲି ଭାବୁଥିନି । ହେଲେ ଇହାଦେ ସେମାନଙ୍କର ଫୋନ୍ ଫାନର ଦେଖା ନାଇଁ । ମୂର୍ତ୍ତି ନେବେ କି ନାଇ ଯେ ଜନା ନି ପଡବାର । ନି ନେଲେ ବେଲେ ମୋର ପରିଶ୍ରମ ବେକାର ହେଇଯିବା । ହେଥିର ଲାଗି ୩୦ଟା ଖଣେ କରୁଛେଁ ବୋଲି କାରିଗର ଲୁକୁ ସେଠ୍ କହିଛନ୍ତି ।

Leave A Reply

Your email address will not be published.