ବଲାଙ୍ଗିର ତୁରେକେଲାଠାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : ପାରିବାରିକ କଳହ ଚର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାଦୋବେଡା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । କପା ଚାଷ ନଷ୍ଟ ହେବାରୁ ମାନସିକ ଚିନ୍ତାଗ୍ରସ୍ତ ହୋଇ କାଦୋବେଡା ଗାଁର ଭାଗ ଚାଷୀ ରିଚେକ ବନ୍‌ଛୋର ବିଷ ଖାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ତେବେ ପାରିବାରିକ କଳହ ଏହାର ଅନ୍ୟ କାରଣ ବୋଲି ଚର୍ଚ୍ଚା ହେଉଥିବା ଅସମର୍ଥୀତ ପ୍ରକାଶ କରିଛନ୍ତି । ଅଭିଯୋଗ ମୁତାବକ କାଦୋବେଡାର ରିଚେକ ବନ୍‌ଛୋର ଜଣେ ଭୁମିହୀନ ଚାଷୀ ହୋଇଥିବା ବେଳେ ବର୍ଷକୁ ୬ ମାସ ଦାଦନ ଶ୍ରମିକ ଭାବେ କାମ କରିବାକୁ ସପରିବାର ବାହାର ରାଜ୍ୟକୁ ଯାଇଥାନ୍ତି । ମୃତ ରିଚେକ ଚଳିତ ବର୍ଷ ଧାର କରଜ କରି ଭାଗ ଚାଷୀ ଭାବେ ଗାଁରେ ପ୍ରାୟ ୫ ଏକର କପା ଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟି ଯୋଗୁଁ କପା ଫସଲ ନଷ୍ଟ ହୋଇଥିବା ବେଳେ ଧାର କରଜ ପରିଶୋଧ କରିବା ନେଇ ରିଚେକ ମାନସିକ ଚିନ୍ତାରେ ରହୁଥିଲେ । ଗତକାଲି ବିଲକୁ ଯାଇ ସେଠାରେ ବିଷ ଖାଇ ଗୁରୁତର ଅବସ୍ଥାରେ ଘରକୁ ଆସିଥିଲେ ରିଚେକ । ତେବେ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ସଂଧ୍ୟାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବଲାଙ୍ଗିର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳୁ ଡାକ୍ତରଖାନାରେ ରିଚେକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ମୃତ ଚାଷୀଙ୍କ ପୁଅ ପବିତ୍ର ବନ୍‌ଛୋର ଦାବୀ କରିଛନ୍ତି । ଅନ୍ୟପଟେ, କିଛି ଦିନ ହେବ କୌଣସି କାରଣରୁ ରିଚେକଙ୍କ ଘରେ କଳହ ଲାଗି ରହିଥିଲା । ଏହି ପାରିବାରିକ କଳହ ପାଇଁ ହିଁ ରିଚେକ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଏ ସଂକ୍ରାନ୍ତରେ ରିଚେକଙ୍କ ପରିବାର ତରଫରୁ କୋଣସି ସୂଚନା ମିଳିପାରି ନାହିଁ । ତେବେ ରିଚେକ ବନ୍‌ଛୋର କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ତଦନ୍ତ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.