ଏକାତରା କେନ୍ଦୁପତ୍ର ଫଡ଼ିରୁ ୭ ଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ଅଭିଯୋଗ : ଟ୍ରକ ଆସିଲା, ୨୪ କୁଇଣ୍ଟାଲ କେନ୍ଦୁପତ୍ର ବୋଝେଇ ହୋଇ ଚୋରି ହେଲା

ମ.ରାମପୁର, (ହେମନ୍ତ ସାହୁ) : ସରକାର କେନ୍ଦୁପତ୍ର ବିଭାଗରେ ଅନେକ ଅର୍ଥ ଖର୍ଚ୍ଚ କରନ୍ତି, ରାଜସ୍ୱ କେତେ ମିଳେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଏହି ବିଭାଗରେ କର୍ମଚାରୀ ମାନେ କିନ୍ତୁ ବିଭିନ୍ନ ଉପାୟରେ ମାଲେମାଲ ହୁଅନ୍ତି । କେବେ କେନ୍ଦୁପତ୍ର ଶୁଖେଇଲା ବେଳେ ପବନରେ ଉଡ଼ିଯାଏ ତ କେବେ ଫଡ଼ିରେ ନିଆଁ ଲାଗିଯାଏ । ପୁଣି ଆଉ କେବେ ଶ୍ରମିକଙ୍କୁ ଉଚିତ ପାଉଣା ଦେବା ବଦଳରେ ଶିଶୁଶ୍ରମିକ ନିୟୋଜିତ ହୁଅନ୍ତି । ଏମିତି ଅନେକ ଅସାଧୁ ଉପାୟରେ ଅର୍ଥ ହେରଫେର ହେଇଥାଏ । ତେବେ ଗତ ୨୯ ବିଳମ୍ବିତ ରାତିରେ(୧ଟା ସମୟରେ) କର୍ଲାମୁଣ୍ଡା ବ୍ଲକ ଏକାତରା କେନ୍ଦୁପତ୍ର ଫଡ଼ିରୁ ସାତଲକ୍ଷ ଟଙ୍କାର କେନ୍ଦୁପତ୍ର ଚୋରି ହେଇଥିବା ନେଇ ମ.ରାମପୁର ଥାନାରେ ଗତ ୨୯ ତାରିଖ ଦିନ ଲିଖିତ ଅଭିଯୋଗ ହେଇଛି । ଅଭିଯୋଗ ମୁତାବକ ୧୨ରୁ ୧୫ଜଣ ଦୁବୁର୍ତ୍ତ ଏକ ଟ୍ରକ ଏବଂ ମଟରସାଇକେଲରେ ଉକ୍ତ ଫଡ଼ିକୁ ଆସିଥିଲେ ଏବଂ ଶ୍ରମିକ ଗଜୀନ୍ଦ୍ର ତାଣ୍ଡିଙ୍କ ସମେତ ଅନ୍ୟ ଶ୍ରମିକଙ୍କୁ ଡ଼ାକିବା ସହିତ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାରିଦେବାର ଧମକ ଦେଇ ୪୦ ବସ୍ତା ଏବଂ ତିିନି ବଣ୍ଡଲ କେନ୍ଦୁପତ୍ର ୨୪.୧୫ କୁଇଣ୍ଟାଲ କେନ୍ଦୁପତ୍ର ଗାଡ଼ିରେ ବୋଝେଇ କଲେ । ଯାହାର ଆନୁମାନିକ ମୂଲ୍ୟ ସାତଲକ୍ଷ ଟଙ୍କା ହେବ । ଏ ସଂକ୍ରାନ୍ତରେ ଏକାତରା ମୁନିସୀ କିରଣ ସାହୁ ଫୋନ ଯୋଗେ ହଜାରିପଡ଼ା ଫରେଷ୍ଟର ଚକ୍ରଧର ଶବରଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଫରେଷ୍ଟର ଶ୍ରୀ ବାଗ ଇନଚାର୍ଜ ରେଂଜର କେସିଙ୍ଗା ଦୈତାରୀ ନାଏକଙ୍କୁ ସୂଚନା ପ୍ରଦାନ କରିଥିଲେ । ସୂଚନାପାଇ ଶ୍ରୀ ନାଏକ ଏକାତରା ଗ୍ରାମକୁ ଯାଇ ସମସ୍ତ ବିଷୟର ଅନୁଧ୍ୟାନ କରିବା ପରେ ମ.ରାମପୁରକୁ ସନ୍ଧ୍ୟାରେ ଆସି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଏନେଇ ମ.ରାମପୁର ଥାନା କେସ ନଂ ୧୬୯/୨୧ ମାମଲା ରୁଜୁକରି ସବଇନିସପେକ୍ଟର ଜୟଦେବ ତାରିଣୀଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଛି । ତେବେ ରାତିରେ ଗୋଟିଏ ଟ୍ରକ କେନ୍ଦୁପତ୍ର ବୋଝେଇ ହେଲା, ପୁଣି ଶ୍ରମିକଙ୍କୁ ନେଇ । ଏତେ ସଂଖ୍ୟକ କେନ୍ଦୁପତ୍ର ଚୋରିର ପ୍ରକୃତ ରହସ୍ୟ ଉପଯୁକ୍ତ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଥିବା ବେଳେ ସେଠାରେ ଥିବା ଶ୍ରମିକଙ୍କୁ ଆଣି ପ୍ରାଥମିକ ପଚରା ଉଚୁରା ଚାଲିଛି, ସତ୍ୟ ସାମ୍ନାକୁ ଆସିବ ନିଶ୍ଚିତ ବୋଲି ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହି କେସର ତଦନ୍ତ ପାଇଁ ଜଣେ ଡ଼ିଏସପିଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି, ଖୁବ ଶୀଘ୍ର ଘଟଣାର ରହସ୍ୟ ନିଶ୍ଚିତ ଲୋକଲୋଚନକୁ ଆସିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.